ଓଡ଼ିଶାଶିକ୍ଷା

କେଜିବିଭିରୁ ମେଡିକାଲ୍ କଲେଜକୁ ଯାତ୍ରା

ନିଟ୍ ପରୀକ୍ଷାରେ ସଫଳ କେଜିବିଭି ଛାତ୍ରୀ, ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜରେ ପଢ଼ିବେ ଡାକ୍ତରୀ

ଭୁବନେଶ୍ବର, ୨୦ ଅଗଷ୍ଟ ୨୦୨୫ : ରାଜ୍ୟ ପାଇଁ ଗୌରବ ଆଣିଲେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)ରେ ରହି ପାଠପଢୁଥିବା ଛାତ୍ରୀ । ସମ୍ବଲପୁର ଜିଲ୍ଲା ବାମରାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଟାଇପ୍- IV) ହଷ୍ଟେଲରେ ରହି ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ପୂର୍ବତନ ଛାତ୍ରୀ ତଥା ଆଇକନିକ୍ ଆଚିଭର୍ ଲିଜା ମାଝୀ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୫ (NEET-2025)ରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ସୁନ୍ଦରଗଡ଼ସ୍ଥିତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପଢିବେ ଡାକ୍ତରୀ । ବାମରା ବ୍ଲକର ଉଚ୍ଚକାପାଟ ଗ୍ରାମର କ୍ଷୁଦ୍ର ଚାଷୀ ଶ୍ରୀ ଲଳିତ ମୋହନ ମାଝୀ ଏବଂ ଗୃହିଣୀ ଶ୍ରୀମତୀ ପଦ୍ମିନୀ ମାଝୀଙ୍କ ଝିଅ ଲୀଜା ମାଝୀ ସଫଳତାର ସହ ନିଟ୍ – ୨୦୨୫ ଉତ୍ତୀର୍ଣ୍ଣ ହୋଇଛନ୍ତି ।
କିଷାନ (ଅନୁସୂଚିତ ଜନଜାତି) ସମ୍ପ୍ରଦାୟର ଲିଜା ୨୦୨୧ ମସିହାରେ କେଜିବିଭି, ବାମରା-IV ରେ ଯୋଗ ଦେଇଥିଲେ । ନବମ-ଦଶମ ଶ୍ରେଣୀ ପଢିଲା ବେଳେ ସେ ସେଠାରେ ରହିଛନ୍ତି । ଲିଜାଙ୍କ ପ୍ରତିଭା ବିଦ୍ୟାଳୟରୁ ହିଁ ସ୍ପଷ୍ଟ ବାରି ହୋଇପଡୁଥିଲା । ସେ ବାମରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ି ମାଟ୍ରିକରେ ୮୨ ପ୍ରତିଶତ ଏବଂ ଓଏଭି (ଆଇକନିକ୍), ଭୁବନେଶ୍ବରଠାରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ ଏବଂ ସେ ସେଥିରେ ୮୧.୬ ପ୍ରତିଶତ ରଖିଥିଲେ । ମଧ୍ୟବିତ୍ତ ପରିବାରରୁ ଆସି ଲିଜା ଦୃଢ଼ତାର ସହ ସାମାଜିକ ଓ ଆର୍ଥିକ ପ୍ରତିବନ୍ଧକକୁ ଅତିକ୍ରମ କରିଛନ୍ତି ।

ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହେଉଛି ଅବହେଳିତ ଓ ବିଦ୍ୟାଳୟ ବାହାରେ ଥିବା କିଶୋରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ । ଏହି ମିଶନରେ ଓଡ଼ିଶା ସର୍ବଦା ଆଗୁଆ ରହିଆସିଛି ଏବଂ କେଜିବିଭି ଏଭଳି ନିରନ୍ତର ପ୍ରେରଣାଦାୟକ ସଫଳତା ସୃଷ୍ଟି କରିଆସିଛି । ଅନେକ ପ୍ରାକ୍ତନ ଛାତ୍ରୀ ଶିକ୍ଷା, ବୃତ୍ତିଗତ କ୍ଷେତ୍ର ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଛନ୍ତି, ଯାହା ଶିକ୍ଷା ଏବଂ ସଶକ୍ତିକରଣର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରତିଫଳିତ କରିଥାଏ ।
ଲିଜାଙ୍କ ସଫଳତାକୁ ନେଇ କେଜିବିଭି ବିଦ୍ୟାଳୟର କର୍ତ୍ତୃପକ୍ଷ ଗୌରବ ପ୍ରକାଶ କରି କହିଛନ୍ତି, ତାଙ୍କ କାହାଣୀ କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଗ୍ରାମୀଣ ଓଡ଼ିଶାର ଅଗଣିତ ବାଳିକାଙ୍କ ପାଇଁ ଏକ ଆଶାର ପ୍ରତୀକ । କେଜିବିଭିର ଶ୍ରେଣୀଗୃହରୁ ମେଡିକାଲ କଲେଜର କରିଡର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରମାଣ କରେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ହତିଆର୍ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।

Related Articles

Back to top button