ଓଡ଼ିଶା

ବିଏମ୍ସିର ଏସଡବ୍ଲ୍ୟୁଏମ୍ ଓ ଏଫଏସଟିପି ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ

ଭୁବନେଶ୍ୱର;୨୧.୦୮.୨୦୨୫ – ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ବର୍ଜ୍ୟ ପରିଚାଳନା ପଦ୍ଧତି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଅତ୍ୟାଧୁନିକ ପ୍ରଣାଳୀରେ ବିଏମ୍ ସି ବର୍ଜ୍ୟ ପରିଚାଳନା କରୁଥିବାରୁ ଦେଶର ବିଭିନ୍ନ ମ୍ୟୁନିସପାଲିଟ୍ ଓ ମହାନଗର ନିଗମର ଅଧିକାରୀମାନେ ଏହାକୁ ଅନୁକରଣ କରିବା ପାଇଁ ଆସୁଛନ୍ତି । ଆଜି ବିଏମ୍ ସିର ବର୍ଜ୍ୟ ପରିଚାଳନା ପଦ୍ଧତି ବୁଲି ଦେଖିବା ପାଇଁ ଆନ୍ଧ୍ରପ୍ରଦେଶ ମ୍ୟୁନିସପାଲ ଆଡମିନିଷ୍ଟ୍ରେସନ ପକ୍ଷରୁ 6 ଜଣିଆ ଅଧିକାରୀ ଦଳ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ କୁରନୁଲ ମହାନଗର ନିଗମର କମିଶନର  ପି. ବିଶ୍ୱନାଥଙ୍କ ନେତୃତ୍ୱରେ ପିଭିଏସଏନ୍ ପ୍ରସାଦ, ଏଏସଏନ୍ ପ୍ରସାଦ, ସାମିଉଲ୍ଲା  ପ୍ରମୁଖ 6 ଜଣିଆ ଅଧିକାରୀ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଏମ୍ ସି ପକ୍ଷରୁ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସେମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ପରିମଳ ଶ୍ରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଏକ ପିପିଟି ମାଧ୍ୟମରେ ବର୍ଜ୍ୟ ପରିଚାଳନା ସଂପର୍କରେ ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ଅଧିକାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।
ପରେ ସେମାନେ ଲୋକମାନଙ୍କ ଘରୁ ଅଲଗା ଅଲଗା ହୋଇ ଆସୁଥିବା ଓଦା ଓ ସୁଖିଲା ବର୍ଜ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ ପଦ୍ଧତି, ସାମଗ୍ରୀ ପୁନରୁଦ୍ଧାର ପଦ୍ଧତି, ମଳ ପରିଚାଳନା ପଦ୍ଧତି ଆଦି ବୁଲି ଦେଖିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।  ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏହି ପ୍ରତିନିଧି ଦଳ ଆସନ୍ତା କାଲି ଢେଙ୍କାନାଳ ପୌର ପରିଷଦରେ ହେଉଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button