ଓଡ଼ିଶା

ଆଦି କର୍ମଯୋଗୀ ଅଭିଯାନ ; ଓଡ଼ିଶାରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା ଅନୁମୋଦିତ

ଭୁବନେଶ୍ୱର, ୦୩/୧୦/୨୦୨୫: ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ବିଶେଷ ଗ୍ରାମ ସଭା ଆୟୋଜିତ ହୋଇଥିଲା । ଏହି ଅଭିଯାନରେ ସମଗ୍ର ରାଜ୍ୟରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା (Village Action Plans) ଅନୁମୋଦନ ପାଇଛି, ଯାହା ଆଦିବାସୀ ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ, ଅଂଶଗ୍ରହଣକାରୀ ଏବଂ ଉତ୍ତରଦାୟିତ୍ବ ଶାସନ ମିଶନର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରି ପାରିଛି ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ଦ୍ୱାରା ଆରମ୍ଭ କରାଯାଇଛି ଆଦି କର୍ମଯୋଗୀ ଅଭିଯାନ । ଏହା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA)ର ଏକ ଅବିଚ୍ଛେଦ୍ୟ ଅଂଶ । ସେବା, ସମର୍ପଣ ଏବଂ ସଂକଳ୍ପ ଭାବନାରେ ପରିପୂର୍ଣ୍ଣ ଏହି ଅଭିଯାନ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପ୍ରଦାନ କରିବ ।

ଓଡ଼ିଶାରେ ଏହି ଅଭିଯାନରେ ୨୨ଟି ଜିଲ୍ଲାର ୨୧୩ଟି ବ୍ଲକ୍‌ର ୭,୬୨୩ଟି ଗ୍ରାମ ସାମିଲ୍ ହୋଇଛି । କାର୍ଯ୍ୟାନ୍ବୟନ ପାଇଁ ୧ ଲକ୍ଷ ଆଦି ସାଥୀ ଓ ୩୦,୦୦୦ ଆଦି ସହଯୋଗୀଙ୍କୁ ସଂଗଠିତ କରାଯାଇଛି । ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ୫୦ରୁ ଅଧିକ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ (CSO)/NGOଙ୍କୁ ସହଭାଗୀ ଭାବରେ ସାମିଲ୍ କରାଯାଇଛି ।

ଚିହ୍ନଟ କରାଯାଇଥିବା ସମସ୍ତ ଗ୍ରାମରେ ୭,୬୨୩ଟି ଆଦି ସେବା କେନ୍ଦ୍ର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୬,୨୫୫ଟି ଆଦି ସେବା କେନ୍ଦ୍ର ଅକ୍ଟୋବର ୨ ରେ ଉଦ୍‌ଘାଟିତ ହୋଇଛି । ଏହି କେନ୍ଦ୍ରଗୁଡ଼ିକ ସେବା ପ୍ରଦାନ ଏବଂ ସାମୁଦାୟିକ ସମ୍ପୃକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ଗ୍ରାମରେ ସାମୁଦାୟିକ ପଦଯାତ୍ରା, ଗ୍ରୁପ୍ ଆଲୋଚନା (FGD), ସମ୍ବଳ ଏବଂ ଭିଜନ୍ ମ୍ୟାପିଂ ଭଳି ପଦକ୍ଷେପ ଗ୍ରହଣ କରି ଗ୍ରାମ କାର୍ଯ୍ୟ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବହୁ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଏହି ଅଭିଯାନ ଗ୍ରାମୀଣ ଅଞ୍ଚଳରେ ସୁଶାସନକୁ ଶକ୍ତିଶାଳୀ କରୁଛି ଓ ଲୋକଙ୍କର ଶାସନକଳ ପ୍ରତି ବିଶ୍ୱାସକୁ ପୁନଃସ୍ଥାପନ କରୁଛି ।

 

Related Articles

Back to top button