ଓଡ଼ିଶା
ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି ସ୍ୱଚ୍ଛ ଭାରତ ଦିବସ-୨୦୨୫

ଭୁବନେଶ୍ୱର; ୦୪/୧୦/୨୦୨୫: ଆଜି ହେଉଛି ସ୍ୱଚ୍ଛ ଭାରତ ଦିବସ-୨୦୨୫ । ଏହି ସ୍ୱଚ୍ଛ ଭାରତ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି ସ୍ୱଚ୍ଛ ଉତ୍ସବ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସହ ସମସ୍ତ ଅତିରିକ୍ତ କମିଶନର ମଞ୍ଚାସୀନ ଥିଲେ । ଏହି ଅବସରରେ ଓ୍ୱେଷ୍ଟ ଟୁ ଆର୍ଟ ପ୍ରଦର୍ଶନୀ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସ୍ୱଚ୍ଛତା ହିଁ ସେବା ଅଧିନରେ ସେପ୍ଟେମ୍ବର 17ତାରିଖରୁ ଐତିହାସିକ ଖଣ୍ଡଗିରି ଓ ଉଦୟଗିରିରୁ ଆରମ୍ଭ ହୋଇଥିଲା ଗଣ ସଫେଇ ଅଭିଯାନ । ଇତି ମଧ୍ୟରେ ବିଏମ୍ ସିର 67ଟି ଓ୍ୱାର୍ଡରେ ଗଣ ସଫେଇ କାର୍ଯ୍ୟକ୍ରମ ସହ ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ଆଜି ସ୍ୱଚ୍ଛ ଭାରତ ଦିବସ ଅବସରରେ ବିଏମ୍ ସିପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ଜ୍ୟ ପ୍ରବଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ, 30ଟି ବିଦ୍ୟାଳୟକୁ ଜିରୋ ଓ୍ୱେଷ୍ଟ କରିବା, ପୂଜାକୁ ପ୍ଲାଷ୍ଟିକ୍-ମୁକ୍ତ ପେଣ୍ଡାଲ୍, ପରିବେଶ ଅନୁକୂଳ ମୂର୍ତ୍ତି ଓ ପୂଜା ସମାପ୍ତ ପରେ ତତ୍ କ୍ଷଣାତ ସଫେଇ, ମୂର୍ତ୍ତିଗୁଡିକୁ କେବଳ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ, ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର ଓ ସଚେତନତା କାର୍ଯ୍ୟକ୍ରମ, ବର୍ଜ୍ୟ ପୃଥକୀକରଣ କରି ଦେବା ପାଇଁ ମହାନଗର ନିଗମବାସିଙ୍କୁ ଅନୁରୋଧ କରାଯିବା ସହ ସବୁଜ ଓ ରେଡ୍ ସ୍ଲିପ ପ୍ରଦାନ, ବର୍ଜ୍ୟରୁ “ଓ୍ୱେଷ୍ଟ ଟୁ ଆର୍ଟ” ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ, ବିଦ୍ୟାଳୟ, ଅନୁଷ୍ଠାନ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଓ୍ୱେଷ୍ଟ ଟୁ ଆର୍ଟର ଏକ ପ୍ରଦର୍ଶନୀ ହୋଇଥିଲା । ଏଥିରେ ବୀଣା ଭାରତୀ ବିଦ୍ୟାମନ୍ଦିର, ଶ୍ରୀ ଅରବିନ୍ଦ ସ୍କୁଲ ଅଫ୍ ଇଣ୍ଟିଗ୍ରାଲ ଏଡୁକେଶନ, ଭିମଟାଙ୍ଗୀ, କ୍ୟାପିଟାଲ ସରକାରୀ ବିଦ୍ୟାଳୟ, ୟୁନିଟ୍-2, ପ୍ରଭୁଜୀ ଇଂରାଜୀ ମାଧ୍ୟମ ମହାବିଦ୍ୟାଳୟ, ଭିଏସ୍ଏସ୍ ନଗର, ପଠାଣି ସାମନ୍ତ ଶିକ୍ଷାକେନ୍ଦ୍ର, ଶ୍ରୀ ଗୁରୁକୁଳମ୍, ଓଲ୍ଡ ଟାଉନ, ମହାରଥା ସରକାରୀ ଉଚ୍ଚବିଦ୍ୟାଳୟ, ନହରକଣ୍ଟା, ଭେଙ୍କଟେଶ୍ୱର ଇଂରାଜୀ ବିଦ୍ୟାଳୟ, ରାଜଧାନୀ କଲେଜ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ-3, କ୍ୟାପିଟାଲ ସରକାରୀ ହାଇସ୍କୁଲ, ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ୍, ବିଏମ୍ ସିର ସମସ୍ତ ବୈଭବ କେନ୍ଦ୍ର ଏହି ପ୍ରଦର୍ଶନୀରେ ନିଜ ନିଜର ଷ୍ଟଲ ଖୋଲିଥିଲେ । ତେବେ ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକର ଓ୍ୱେଷ୍ଟ ଟୁ ଆର୍ଟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ମୋଟ 115 ପ୍ରକାର କଳକୃତି ଏହି ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ମୋଟ 37ଟି ବିଭାଗରେ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରେ ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ କର୍ମୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।