ଓଡ଼ିଶାମୌସୁମୀ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ; ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କରେ ନିଆଗଲା ଆଗୁଆ ପଦକ୍ଷେପ

ଭୁବନେଶ୍ୱର, ୨୬/୧୦/୨୦୨୫ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି ।

ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସବୁଠାରୁ ଅଧିକ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି ।

କାକିନାଡ଼ା ଓ ମଛଲିପଟନମ୍‌ ଯେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ମାଲକାନଗିରି ସେଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଗତକାଲି ପନ୍ଦରଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିବାବେଳେ ଆଜି ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ଏହାର ମୁକାବିଲା ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଛି ।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ସର୍ବାଧିକ ପ୍ରଭାବିତ ୮ଟି ଜିଲ୍ଲା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ବାତ୍ୟା ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂପୃକ୍ତ ବିଭାଗଗୁଡ଼ିକ ସହ ଆଲୋଚନା କରାଯାଇଛି । ଆବଶ୍ୟକ ପଡ଼ିଲେ ପଡୋଶୀ ଜିଲ୍ଲାକୁ ସହାୟତା କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂÕଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀଙ୍କୁ ଆଗୁଆ ମୁତୟନ କରାଯାଇଛି । ଅଧିକ ସାହାଯ୍ୟକାରୀ ଦଳ ଆବଶ୍ୟକ ପଡ଼ିଲେ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ମଧ୍ୟ ପଠାଯାଇପାରିବ ।

ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି । ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରାଯାଇଛି । ବୟସ୍କ, ଶିଶୁମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଭଳି ଉଚ୍ଚସ୍ଥାନରେ ଥିବା ଲୋକମାନଙ୍କୁ ସମତଳ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଲେଣି । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିଭଳି ସମୁଦ୍ର କୂଳରେ ରହୁଥିବା ପର୍ଯ୍ୟଟକମାନେ ମଧ୍ୟ ସମୁଦ୍ର ତଟକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସହ ସ୍କୁଲ ଘର ଓ ଗୋଷ୍ଠୀ କେନ୍ଦ୍ରଗୁଡ଼ିକୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିଜର ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଆବଶ୍ୟକ ସ୍ଥଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥି ପାଇଁ ଆଗୁଆ ପାଣିପମ୍ପର ବ୍ୟବସ୍ଥା କରାଯାଉଛି । ଜଳସମ୍ପଦ ବିଭାଗ ସହିତ ମଧ୍ୟ ନଦୀର ଜଳସ୍ତର ନେଇ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସିଂ କହିଲେ ଯେ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇପାରେ । ୨୮/୨୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ଏବଂ ୩୦ ତାରିଖ ବେଳକୁ ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଦଳଙ୍କୁ ୮ଟି ଜିଲ୍ଲାରେ ମୁତୟନ କରାଯାଇଛି । ଜିଲ୍ଲାପାଳମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button