
ଭୁବନେଶ୍ୱର, ଆଜି ବି ବ୍ୟାରିକେଡ୍ ଭର୍ତ୍ତି, ଭିଡ଼ ଅସମ୍ଭାଳ । ମନ୍ଦିର ବାହାରେ ଯେତିକି, ଭିତରେ ସେତିକି ଜାମ୍ । ମରିଚିକୋଟ୍ ଛକ ଯାଏ ଲମ୍ବା ଲାଇନ୍ । ଖୋଦ୍ ପୋଲିସ୍ ଡିଜି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ପୋଲିସ ଏଡିଜି ଓ ପୁରୀ ଏସପି ମଧ୍ୟ ସ୍ଥିତି ପରଖିଛନ୍ତି। ହେଲେ ବି ଚିତ୍ର କିଛି ବଦଳିନି।
ଭିଆଇପି ପ୍ରୋଟକଲ ବ୍ୟବସ୍ଥା ବନ୍ଦ କରାଯାଇଥିବା ନେଇ ମୁଖ୍ୟ ପ୍ରଶାସକଙ୍କ ଦମ୍ଭୋକ୍ତିକୁ ଯେମିତି ହେୟଜ୍ଞାନ କରିଛି ପୋଲିସ୍। ଯାହାର ଚିତ୍ର ବି ଆପଣଙ୍କ ସାମ୍ନାରେ, ଦେଖନ୍ତୁ କେମିତି କିଛି ପୋଲିସ କର୍ମଚାରୀ ଭିଆଇପି ଦର୍ଶନାର୍ଥୀଙ୍କୁ ଅନ୍ୟବାଟରେ କଢ଼େଇ ନେଉଛନ୍ତି। ଆଜି ବି ବ୍ୟାରିକେଡ୍ ଭିତରେ ଭକ୍ତ ଘଣ୍ଟା ଘଣ୍ଟା ସଢ଼ିଛନ୍ତି, ଜଗମୋହନରେ ଅଣନିଶ୍ବାସୀ ଅବସ୍ଥାରେ ଜଗା ଦର୍ଶନ କରୁଛନ୍ତି। ତେବେ ସବୁଠୁ ବେଶୀ ଦହଗଞ୍ଜ ହୋଇଛନ୍ତି ଦିବ୍ୟାଙ୍ଗ ଭକ୍ତ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଗତକାଲିର ଅଘଟଣ ପରେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ୍ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଶି ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ସଂଚାଳନ ଓ ଆନନ୍ଦବଜାର ଶୃଙ୍ଖଳାକୁ ଗୁରୁତ୍ବ ଦେଇଛି। ତେଣେ ପୁରୀ ବାସିନ୍ଦା ମହାପ୍ରସାଦ ନପାଇ ସିଧା ପ୍ରଶାସନ ଉପରେ ଗରଗର ହୋଇଥିବାବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଅସମ୍ଭବ ବୋଲି ରୋକଠୋକ୍ ମନା କରିଛନ୍ତି ମୁଖ୍ୟ ପ୍ରଶାସକ। ତେଣେ ଏସପି ବି ପୁରୀବାସୀଙ୍କ ଅବଢ଼ା ଅସୁବିଧା ଆରୋପକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।…




