
ଭୁବନେଶ୍ୱର, ୨୩।୧: ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ରାଜନୈତିକ ମଞ୍ଚ ସରଗରମ |
ଶଙ୍ଖଭବନ ଘେରିଲେ ପାଟକୁରାବାସୀ | ତେବେ ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି? ପୁନର୍ବିଚାର କରାଯାଉ ବୋଲି କହିଲେ ଅରବିନ୍ଦଙ୍କ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି।
ବିରାଟ ପଟୁଆରରେ ପାଟକୁରାରୁ ଅରବିନ୍ଦଙ୍କ ଶହ ଶହ ସମର୍ଥକ ଆସିଥିଲେ। ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମେଳି ବାନ୍ଧି ଆସିଥିଲେ। ଏହାକୁ ଦେଖି ନବୀନ ନିବାସ ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢ଼ିଥିଲା।
ସୂଚନାଯୋଗ୍ୟ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଯାହାକୁ ନେଇ ପାଟକୁରାବାସୀ ଅସନ୍ତୁଷ୍ଟ ଅଛନ୍ତି।
ତେବେ ପାଟକୁରାର ଏହି ରାଜନୈତିକ ହଟଚମଟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଅରବିନ୍ଦଙ୍କ ସମର୍ଥକଙ୍କ ଏହି ବିଶାଳ ଶକ୍ତି ପ୍ରଦର୍ଶନ ଏବଂ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା ପରେ, ଆଗାମୀ ଦିନରେ ବିଜେଡି କି ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ଦଳ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ନକରେ, ତେବେ ଆଗକୁ ପାଟକୁରା ଅଞ୍ଚଳରେ ବିଜେଡି ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।




