ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତିଓଡ଼ିଶାଜୀବନଶୈଳୀ

ପୁଣି ମହାପ୍ରସାଦକୁ ଅପମାନ: ଚପଲ ପିନ୍ଧି ଖାଉଥିବାର ଭିଡିଓ ଭାଇରାଲ, ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ ୦୯/୦୨/୨୦୨୬: ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ମହାପ୍ରସାଦକୁ ଅପମାନିତ କରାଯାଉଥିବା ନେଇ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ବ୍ୟକ୍ତି ଏକ ହୋଟେଲର ଡାଇନିଂ ଟେବୁଲରେ ବସି ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ପୁରୀର ଏକ ଘରୋଇ ହୋଟେଲର ବୋଲି ଜଣାପଡ଼ିଛି, ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ଅବଢ଼ା ବା ମହାପ୍ରସାଦର ସ୍ୱତନ୍ତ୍ର ଶାସ୍ତ୍ରୀୟ ମାହାତ୍ମ୍ୟ ରହିଛି। ଏହାକୁ ଭକ୍ତମାନେ ଅତି ଶ୍ରଦ୍ଧାର ସହ ଗ୍ରହଣ କରିଥାନ୍ତି। ମାତ୍ର ଭାଇରାଲ ଭିଡିଓରେ ବ୍ୟକ୍ତିମାନେ ଡାଇନିଂ ଟେବୁଲରେ ବସିବା ସହ ଗୋଡ଼ରେ ଚପଲ ପିନ୍ଧି ମହାପ୍ରସାଦ ଖାଉଥିବାରୁ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଉକ୍ତ ବ୍ୟକ୍ତିମାନେ କେଉଁ ସ୍ଥାନର ଏବଂ କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟ କଲେ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, ମହାପ୍ରସାଦକୁ ନେଇ ଏଭଳି ଅବମାନନା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ବାର ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ସାମ୍ନାକୁ ଆସି ବିବାଦ ସୃଷ୍ଟି କରିଛି। ଏହି ଘଟଣାକୁ ନିନ୍ଦନୀୟ ବୋଲି ଅଭିହିତ କରାଯିବା ସହ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Articles

Back to top button