ଓଡ଼ିଶାରାଜନୀତି

ପୋଲିସର ‘ମିଛ କେସ୍’ ଉପରେ ବର୍ଷିଲା ବିଜେଡି; ଡିଜିପି କ୍ଷମା ମାଗନ୍ତୁ ବୋଲି ଦାବି

ଭୁବନେଶ୍ୱର ୧୧/୦୧/୨୦୨୬: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟ ମାନବାଧିକାର ଆୟୋଗ (OHRC) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଆୟୋଗ ଏହି ପ୍ରସଙ୍ଗରେ ବିଜେଡି ନେତାଙ୍କ ବିରୋଧରେ ହୋଇଥିବା ଆର୍ମ୍ସ ଆକ୍ଟ ମାମଲାକୁ ‘ମିଛ’ ବୋଲି ଅଭିହିତ କରିଛନ୍ତି। ଏହାକୁ ନେଇ ବିଜେଡି ଶଙ୍ଖ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉପରେ ତୀବ୍ର ଆକ୍ରମଣ କରିବା ସହ ପୋଲିସ ମହାନିର୍ଦ୍ଦେଶକ (DGP) ଏହି ଘଟଣା ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

ଘଟଣାଟି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ବିରୋଧରେ ଆୟୋଜିତ ଏକ ମଶାଲ ଶୋଭାଯାତ୍ରାକୁ ନେଇ ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ପରେ ମାଲଗୋଦାମ ଥାନା ପୋଲିସ ବିଜେଡି ବିଧାୟକ ବ୍ୟୋମକେଶ ରାୟ, ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଏବଂ ଅନ୍ୟ ଜଣେ ଛାତ୍ରନେତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା। ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମିଛ ମାମଲା ବୋଲି ଦର୍ଶାଇ ଡକ୍ଟର ମହାନ୍ତି ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନିଜ ରିପୋର୍ଟରେ ମଧ୍ୟ ଏହି କେସ୍ର କୌଣସି ସତ୍ୟାସତ୍ୟ ନାହିଁ ବୋଲି ସ୍ୱୀକାର କରିଥିଲା।

ମାନବାଧିକାର ଆୟୋଗ ଏହି ମାମଲାର ଶୁଣାଣି କରି ଏଭଳି ମିଛ କେସ୍ ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ କରି ପ୍ରାମାଣିକ ତଥ୍ୟ ସଂଗ୍ରହ କରିବାକୁ ଆୟୋଗ ରାଜ୍ୟର ସବୁ ଥାନାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ନିରପରାଧ ଲୋକମାନେ ଯେପରି ମିଛ ମାମଲାରେ ହଇରାଣ ନହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ଆୟୋଗ ପରାମର୍ଶ ଦେଇଛନ୍ତି।

ଡକ୍ଟର ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ପୋଲିସ ଥାନାଗୁଡ଼ିକ ଶାସକ ଦଳର କୁଜି ନେତାଙ୍କ କବ୍‌ଜାରେ ରହିଛି ଏବଂ ସେମାନଙ୍କ ପ୍ରରୋଚନାରେ ପୋଲିସ ମିଛ ମାମଲା ରୁଜୁ କରୁଛି। ଏହି କାରଣରୁ ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଯିବାକୁ ଡରିଲେଣି। ଶାସକ ଦଳ କେବଳ ନାମ ଓ ରଙ୍ଗ ପରିବର୍ତ୍ତନକୁ ପ୍ରାଥମିକତା ଦେଇ ରାଜ୍ୟର ଗୌରବକୁ କ୍ଷୂଣ୍ଣ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

Related Articles

Back to top button