
ଭୁବନେଶ୍ୱର ,ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ସାହୁପଡ଼ା, ସର୍ଦ୍ଦାର ପାଳ ଗାଁର ପଦ୍ମ ଲୋଚନ ମହାଳିକ ଓ ରୁକ୍ମଣୀ ମହାଳିକ। ବୟସ ୮୦ ବର୍ଷରୁ ଅଧିକ ହେଲାଣି। ନୁଆଁଣିଆ ଚାଳ ଘରେ ଜୀବନ ବିତାଉ ଥିବା ଏଇ ବୃଦ୍ଧ ମଉସା ମାଉସୀଙ୍କର ଯଦି କିଛି ସମ୍ପତ୍ତି ଥାଏ ତାହା ହେଉଛି କେବଳ ଏହି ରେଡିଓ। ଏ ରେଡିଓ ଯେମିତି ସେମାନଙ୍କ ପାଇଁ ପ୍ରେମର ଗୀତ ଗାଉଛି। ରେଡ଼ିଓ ୧୮୯୫ ରେ ଆବିଷ୍କାର ହୋଇଥିବା ରେଡ଼ିଓ ଯନ୍ତ୍ର ଘରେ ଘରେ ପରିଚିତ ଥିଲା। ଗୋଟାଏ ଶତାବ୍ଦୀରୁ ଅଧିକ ସମୟ ଧରି ସମସ୍ତଙ୍କ ଅତି ପ୍ରିୟ ପାଲଟି ଥିବା ଏହି ଯନ୍ତ୍ରକୁ ଦେଖିବା ଏବେ ବିରଳ। ଦୀର୍ଘ ୫୦ ବର୍ଷ ପ୍ରେମର ମୁକ ସାକ୍ଷୀ ପାଲଟିଛି ରେଡିଓ। କେତେବେଳେ ପ୍ରେମର ଗୀତ ଗାଇଛି, ତ ପୁଣି କେବେ ଦେଶ ବିଦେଶର ବାର୍ତ୍ତା ଦେଇଛି। ରେଡ଼ିଓ ଗୀତର ଛୁଙ୍କରେ ମନ ସତେଜ ବି ହୋଇଛି। ଆଜିକା ଦିନରେ ଲୋପ ପାଉଥିବା ଏହି ରେଡିଓ ଯେ, କେତେ ମୂଲ୍ୟବାନ, ଯିଏ ବ୍ୟବହାର କରିଛି ସିଏ ଜାଣିଛି। ଏ ରେଡ଼ିଓ ସତେ ଯେମିତି ଏହି ବୃଦ୍ଧ ଦମ୍ପତିଙ୍କ ପ୍ରେମର ସାକ୍ଷୀ ପଲଟିଛି। ସମାଚାର ହେଉ କି ରାମାୟଣ, ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ ହେଉ କି କୃଷିବାଣୀ, ସବୁ କିଛି ଏଇ ରେଡ଼ିଓ ହିଁ ଅନର୍ଗଳ ଗାଈ ଥାଏ ଏମାନଙ୍କ ପାଖରେ। ଲୋପ ପାଉଥିବା ଏହି ରେଡିଓ ଯେ, ଅନେକଙ୍କର ଆବେଗ ତାହା ଏହି ମଉସା ମାଉସୀଙ୍କୁ ଦେଖିଲେ, ବେଶ୍ ବାରି ହେଇ ପଡ଼ୁଛି।




