ବିଜ୍ଞାନ ଓ ପ୍ରଯୁକ୍ତି

ଭାରତ ଯୋଡ଼ ଯାତ୍ରାରେ ଆମ ପ୍ରତି ଜନ ସମର୍ଥନ ବଢ଼ୁଛି : ପିସିସି ସଭାପତି

   ଭୁବନେଶ୍ୱର, ୨୩/୦୧/୨୦୨୩ –   ପଶ୍ଚିମ ଓଡ଼ିଶାରେ ଚାଲୁ ରହିଥିବା ଭାରତ ଯୋଡ଼ ଯାତ୍ରାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନ୍ୟ ତୁଙ୍ଗ ନେତାମାନେ ସାଧାରଣ ଲୋକଙ୍କୁ ପୁଣି କଂଗ୍ରେସ ମୁହାଁ କରିବାରେ ଲାଗି ପଡ଼ିଛନ୍ତି । ପଶ୍ଚିମ ଓଡ଼ିଶାରେ ବିଜେପିର ଲୋକପ୍ରିୟତା କ୍ରମାଗତ ଭାବେ କମୁଥିବା ବେଳେ କଂଗ୍ରେସ ସାମାନ୍ୟ ଲାଭବାନ ହେଉଥିବା ଦେଖିବାକୁ ମିଳିଛି ।

ଆଉ କେଇଟା ଦିନରେ ପରେ ଏହି ଶୋଭାଯାତ୍ରା ଉପକୂଳ ଓଡ଼ିଶା ମୁହାଁ ହେବ । ତେବେ ପଶ୍ଚିମ ଓଡ଼ିଶାରେ କଂଗ୍ରେସକୁ ଯେତିକି ସମର୍ଥନ ମିଳିଛି; ତାହା ଉପକୂଳ ଓଡ଼ିଶାରେ ମିଳିବ ନା କମିବା ତାକୁ ନେଇ ପ୍ରଶ୍ନ ଉଠିଛି ।  ୨୦୦୦ ମସିହା ପରଠାରୁ ପ୍ରତ୍ୟେକ ନିର୍ବାଚନରେ କଂଗ୍ରେସ ଉପକୂଳ ଓଡ଼ିଶାରେ କ୍ରମାଗତ ଦୁର୍ବଳ ହୋଇଛି । ଲୋକସଭା ନିର୍ବାଚନରେ କଂଗ୍ରେସକୁ କେନ୍ଦ୍ରପଡ଼ା, କଟକ, ଭଦ୍ରକ, ଯାଜପୁର, ପୁରୀ ଓ ବାଲେଶ୍ୱର ଭଳି ଜିଲ୍ଲାରେ ଲକ୍ଷାଧିକ ଭୋଟ ମିଳିଥିଲେ ସୁଦ୍ଧା ସମ୍ପୃକ୍ତ ଭୋଟ ବ୍ୟାଙ୍କ ବର୍ତ୍ତମାନ କଂଗ୍ରେସ ସପକ୍ଷରେ ନ ଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ଭାରତ ଯୋଡ଼ା ଯାତ୍ରାକୁ ଉପକୂଳ ଓଡ଼ିଶାରେ ସଫଳ କରାଇବା କଂଗ୍ରେସ ସଭାପତିଙ୍କ ନିକଟରେ ସବୁଠାରୁ ବଡ଼ ଆହ୍ୱାନ ହେବ ବୋଲି କୁହାଯାଉଛି।

ଏସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି ଯେ କଂଗ୍ରେସର ଭୋଟବ୍ୟାଙ୍କ ସର୍ବନିମ୍ନ ସ୍ତରରେ ରହିଛି । ତେଣୁ ହରାଇବା ପାଇଁ ଦଳ ପାଖରେ କିଛି ନାହିଁ । ସମ୍ପ୍ରତି ଆମେ ଧିରେ ଧିରେ ବଳ ଗୋଟାଇବାରେ ଲାଗିଛୁ । କଂଗ୍ରେସ ସହ ନୂଆ ପିଢ଼ିର ଭୋଟରମାନେ ଯୋଡ଼ି ହେବାରେ ଲାଗିଛନ୍ତି । ଭାରତ ଯୋଡ଼ ଯାତ୍ରାରେ ଆମ ପ୍ରତି ଜନସମର୍ଥନ ବଢ଼଼ୁଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦଳକୁ ମିଳିଥିବା ଅଦ୍ଭୁତପୂର୍ବ ସଫଳତା ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ହେବ ବୋଲି ଦୃଢ଼ବିଶ୍ୱାସ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com