
ବାଙ୍ଗାଲୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି । IPLର ୧୮ ତମ ସିଜିନରେ ଦମଦାର ଅଭିଯାନ ଆରମ୍ଭ କରିଛି । ଉଦ୍ଘାଟନୀ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ହରାଇ ଫ୍ୟାନ୍ସଙ୍କ ଭିତରେ ଭରି ଦେଇକ୍ତି ଉତ୍ସାହ । ସେହିପରି ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ୫୦ ରନରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ନିଜକୁ ଆଗରେ ରଖିଛି । ଯଦିଓ ଏପର୍ଯ୍ୟନ୍ତ ଚଳିତ IPL ରେ ମାତ୍ର ୧୧ଟି ମ୍ୟାଚ ଶେଷ ହୋଇଛି ତଥାପି ବାଙ୍ଗାଲୋର ଟିମର ପ୍ରଦର୍ଶନ ଦେଖିଲେ ସେ ହିଁ ଫେଭରେଟ୍ ରହିବା ନେଇ ଚର୍ଚ୍ଚା ହେଉଛି ।
କାରଣ IPLରେ ସବୁବେଳେ ଦବଦବା ରଖୁଥିବା ମୁମ୍ବାଇ ଏବଂ ଚେନ୍ନାଇ ବର୍ତ୍ତମାନ ଯାଏ ପଏଣ୍ଟ ଟେବୁଲରେ ୧୦ମ ଏବଂ ୭ମ ସ୍ଥାନରେ ରହିଛନ୍ତି । ମୁମ୍ବାଇ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳିଥିଲେ ବି ବିଜୟ ପାଇନାହିଁ । ରୋହିତ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭଳି ଖେଳାଳି ଥିଲେ ବି ଦଳ ବଡ ସ୍କୋର କରିପାରିନାହିଁ । ସେହିପରି ପ୍ରତିପକ୍ଷ ବ୍ୟାଟରମାନଙ୍କୁ ମଧ୍ୟ ଅଟଳାଇବାରେ ବିଫଳ ହୋଇଛନ୍ତି ମିଚେଲ ସାଣ୍ଟନର ଏବଂ ଟ୍ରେଣ୍ଟ ବୋଲ୍ଡ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଯଦିଓ ୨ୟ ସ୍ଥାନରେ ରହିଛି ତଥାପି ବ୍ୟାଟିଂରେ ଫାପ୍ ଡୁ ପ୍ଲେସିସ୍ ଏବଂ ବୋଲିଂରେ ମିଚେଲ ଷ୍ଟାର୍କଙ୍କୁ ଛାଡିଲେ ଅନ୍ୟ କେହି ସ୍ଥିର ପ୍ରଦର୍ଶନ ଦେଇପାରୁନାହାନ୍ତି ।
ତେବେ ବାଙ୍ଗାଲୋର ଟିମ୍ ଉପରେ ନଜର ଦେଲେ ବିରାଟ କୋହଲି, ଫିଲିପ ସଲ୍ଟ, ଦେବଦତ୍ତ ପଡିକାଲ, ରଜତ ପଡିଦାର ଭଲ ବ୍ୟାଟିଂ କରୁଛନ୍ତି । ସେହିପରି ବୋଲିଂରେ ଜୋସ୍ ହାଜେଲଉଡ୍, ୟସ୍ ଦୟାଲ ରନ ଗତି ଅଟଳାଇବା ସହିତ ନିୟମିତ ବ୍ୟବଧାନରେ ପକାଉଛନ୍ତି ୱିକେଟ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ୨ଟି ମ୍ୟାଚରୁ ୨ଟି ଯାକ ଜିତି ୨. ୨୬୬ ନେଟ୍ ରନ ରେଟ ସହ ୪ ପଏଣ୍ଟ ପାଇ ଶୀର୍ଷରେ ରହିଛି । ତେଣୁ ଏକ ସନ୍ତୁଳିତ ଦଳ ସହ ପଡିଆକୁ ଓହ୍ଲାଉଥିବାରୁ IPL ର ୧୮ ତମ ସିଜିନରେ ବାଙ୍ଗାଲୋର ଚମ୍ପିଆନ ହେବା ନେଇ ଏବେ ଠାରୁ ଚର୍ଚ୍ଚା ହେଲାଣି ।