ଜାତୀୟ

ଆକ୍ରମଣରେ ନାବାଳକ ମୃତ: ବ୍ୟାପକ ପୋଡ଼ାଜଳା, ୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

ହଜାରିବାଗ/ରାଞ୍ଚି: ଝାରଖଣ୍ଡର ହଜାରିବାଗରେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଶନିବାର ସରସ୍ୱତୀ ପୂଜା ପରେ ରବିବାର ବିସର୍ଜନ ଉତ୍ସବ ହୋଇଥିଲା। ଏହାର କିଛି ସମୟ ପରେ ଘଟିଥିବା ପାଟିତୁଣ୍ଡ ଓ ମାରପିଟ୍‌ରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବାରୁ ହଜାରିବାଗ ଓ ଏହାର ଆଖପାଖ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ତେବେ ସରସ୍ୱତୀଙ୍କ ବିସର୍ଜନ ସହ ଏହି ମାରପିଟ୍‌ର କୌଣସି ଲିଙ୍କ ନଥିବା ପୁଲିସ୍‌ କହିଛି।

ତେବେ ହତ୍ୟାକାଣ୍ଡକୁ ବିରୋଧ କରି ଗୋଟିଏ ସଂପ୍ରଦାୟର ଲୋକ ୬ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥିତିକୁ ଦେଖି ରାଜ୍ୟର ୪ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି।
ସୋମବାର ଆନ୍ଦୋଳନକାରୀମାନେ ବାରହି-ଜିଟି ରୋଡ ନିକଟରେ ଥିବା ୨ନଂ ଜାତୀୟ ରାଜପଥକୁ ବନ୍ଦ କରିଥିଲେ।

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଦୋଷୀଙ୍କ ବିରୋଧରେ ମବ ଲିଞ୍ଚିଂ ଆକ୍ଟ ୨୦୨୧ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଦୋଳନକାରୀ ଦାବି କରି ଦୀର୍ଘ ସମୟ ଧରି ରାସ୍ତା ରୋକ କରିଥିଲେ। ତେବେ ପ୍ରଶାସନର ବାରମ୍ବାର ଅନୁରୋଧ ପରେ ରାସ୍ତା ରୋକ ହଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସରସ୍ୱତୀଙ୍କ ବିସର୍ଜନ ପାଇଁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାର ୩୦ ମିନିଟ୍‌ ପରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଆକ୍ରମଣର ଶିକାର ହୋଇଥିବା ୧୭ ବର୍ଷୀୟ ରୂପେଶ କୁମାର ପାଣ୍ଡେ ପରବର୍ତ୍ତୀ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖଇବାକୁ ମିଳିଥିଲା।

ହଜାରିବାଗ ଏସପି କହିଛନ୍ତି, “ପୂରା ଘଟଣାରେ ରୁଜୁ ହୋଇଥିବା ଏଫଆଇଆର୍‌ରେ ୨୭ ଜଣଙ୍କ ନାଁ ରହିଛି। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି। ବାରହିରେ ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟୀ ରଖିବା ପାଇଁ ଆବଶ୍ୟକ ପୁଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି।

ଝଗଡ଼ା ବେଳେ ଜଣେ ଆହତ ହୋଇଛନ୍ତି ଓ ଆଉ ଜଣେ ପ୍ରାଣ ହରାଇଛନ୍ତି। ସଂଯୋଗବଶତଃ ସେମାନେ ଦୁଇଟି ଭିନ୍ନ ସଂପ୍ରଦାୟର। ଝଗଡ଼ା ପଛରେ କୌଣସି ସାଂପ୍ରଦାୟିକ ଦିଗ ନାହିଁ। ବରଂ ଏହା ବ୍ୟକ୍ତିଗତ ଶତ୍ରୁତା କାରଣରୁ ଘଟିଛି।”

ରୂପେଶ ଦୁଲମୁହାଁ ଦେବୀ ମଣ୍ଡପ ନିକଟରେ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରହି ସବ ଡିଭିଜନାଲ ହସ୍ପିଟାଲକୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ରୂପେଶଙ୍କ ମୃତ୍ୟୁ ପରେ ଶତାଧିକ ଲୋକ ଏକାଠି ହୋଇ ସ୍ଥାନୀୟ ଅଞ୍ଚଳରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ସେମାନେ ୫ଟି ବାଇକ ଓ ଗୋଟିଏ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି।

ଘଟଣାକୁ କିଛି ଲୋକ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଗିରିଡି, ଛାତ୍ରା,ରାମଗଡ଼ ଓ ବୋକାରୋରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। କାରିୟାଦପୁର ଗାଁ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। କିଛି ଲୋକ ରବିବାର ସରସ୍ୱତୀ ବିସର୍ଜନ ଘଟଣା ସହ ଏହି ଘଟଣାକୁ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି। କାରଣ ବିସର୍ଜନର ୩୦ ମିନିଟ ପରେ ଏପରି ଘଟଣା ଘଟିଥିଲା। ହେଲେ ପୁଲିସ୍‌ ଏହି ଦୁଇ ଘଟଣା ମଧ୍ୟରେ କୌଣସି ସମ୍ପର୍କ ନଥିବା କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com