ଜାତୀୟ

ଭାରତୀୟ ନାଗରିକତା ଛାଡି କେଉଁ ସବୁ ଦେଶକୁ ଯାଉଛନ୍ତି ଲୋକେ ? ୪୮ଜଣ ପାକିସ୍ତାନକୁ କରିଛନ୍ତି ନୂଆ ଠିକଣା

ନୂଆଦିଲ୍ଲୀ: ଗତ ୩ ବର୍ଷରେ ୩.୯୨ ଲକ୍ଷ ଲୋକେ ଭାରତୀୟ ନାଗରିକତା ଛାଡିଛନ୍ତି। ଭାରତୀୟ ନାଗରିକତା ଛାଡିଥିବା ଏହି ଲୋକେ ବିଶ୍ୱର ୧୨୦ ଦେଶରେ ବସବାସ କରିଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକା ୧.୭୦ ଲକ୍ଷ ଲୋକେ ଆମେରିକାକୁ ସେମାନଙ୍କ ନୂଆ ଠିକଣା ବାଛିଛନ୍ତି। କେନ୍ଦ୍ର ସରକାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ୪୮ ଭାରତୀୟ ନାଗରିକତା ଛାଡି ପାକିସ୍ତାନର ନାଗରିକତା ସ୍ୱୀକାର କରିଛନ୍ତି।

କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏ ବାବଦେ ବିଦେଶମନ୍ତ୍ରାଳୟଙ୍କ ସୂଚନା ପ୍ରଦାନ କରିଥିଲେ। ତଥ୍ୟ ଅନୁସାରେ ଭାରତୀୟ ନାଗରିକତା ତ୍ୟାଗ କରିଥିବା ଲୋକେ ବିଶ୍ୱର ୧୨୦ଟି ଦେଶର ନାଗରିକତା ଗ୍ରହଣ କରି ବସବାସ କରିଛନ୍ତି। ଏହି ସବୁ ଲୋକେସେମାନଙ୍କ ବ୍ୟକ୍ତିଗତ କାରଣରୁ ଭାରତର ନାଗରିକତା ଛାଡିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ୨୦୧୯, ୨୦୨୦ ଓ ୨୦୨୧ରେ ୩ଲକ୍ଷ ୯୨ ହଜାର ୬୪୩ ଜଣ ଭାରତୀୟ ନାଗରିକତା ଛାଡିଥିବା କହିଛନ୍ତି।

ଭାରତୀୟ ନାଗରିକତା ଛାଡିଥିବା ୧ଲକ୍ଷ ୭୦ ହଜାର ୭୯୫ ଜଣ ଆମେରିକା ନାଗରିକତା ଗ୍ରହଣ କରିଥିବା ବେଳେ ୬୪ ହଜାର ୭୧ ଜଣ କାନାଡାର ନାଗରିକତା ଗ୍ରହଣ କରିଛନ୍ତି। ସେହିପରି ୫୮ ହଜାର ୩୯୧ ଜଣ ଅଷ୍ଟ୍ରେଲିଆର ନାଗରିକତା ଗ୍ରହଣ କରିଥିବା ବେଳେ ୩୫ହଜାର ୪୩୫ ଜଣ ବ୍ରିଟେନର ନାଗରିକତା ଗ୍ରହଣ କରିଛନ୍ତି। ଏହି କ୍ରମରେ ୧୨ ହଜାର ୧୩୧ ଜଣ ଇଟାଲୀ ନାଗରିକତା ଗ୍ରହଣ କରିଥିବା ବେଳେ ୮ ହଜାର ୮୮୨ ଜଣ ନ୍ୟୁଜିଲ୍ୟାଣ୍ଡର ନାଗରିକ ହୋଇଛନ୍ତି।

୭ ହଜାର ୪୬ ଜଣ ସିଙ୍ଗାପୁର, ୬ ହଜାର ୬୯୦ ଜଣ ଜର୍ମାନୀ୩ ହଜାର ୭୫୪ ଜଣ ସ୍ୱିଡେନ ଓ ୪୮ ଜଣ ପାକିସ୍ତାନର ନାଗରିକତା ସ୍ୱୀକାର କରିଛନ୍ତି। ଏଥିରେ ୨୦୨୧ ମସିହାରେ ୧ଲକ୍ଷ ୬୩ ହଜାର ୩୭୦ ଜଣ ଭାରତୀୟ ନାଗରିକତା ଛାଡିଥିଲେ। ଗତ ୫ରୁ ୬ ବର୍ଷ ହେଲା ଅଧିକ ଲୋକେ ଭାରତୀୟ ନାଗରିକତା ଛାଡୁଥିବା ମନ୍ତ୍ରୀ ସଦନକୁ କହିଛନ୍ତି। ତେବେ ଏହି ସମୟରେ ୫ ହଜାର ୨୨୦ ଜଣଙ୍କୁ ଭାରତ ନାଗରିକତା ପ୍ରଦାନ କରିଥିବା କହିଛନ୍ତି। ଏଥିରେ ଭାରତୀୟ ନାଗରିକତା ଗ୍ରହଣ କରୁଥିବା ଲୋକଙ୍କ ମଧ୍ୟରେ ପାକିସ୍ତାନୀ ଆଗରେ ଅଛନ୍ତି। ଭାରତ ବାର୍ଷିକ ୧ ହଜାର ୪୪ ଜଣଙ୍କୁ ନାଗରିକତା ଦେଉଛି। ଏଥିରେ ପାକିସ୍ତାନର ୮୭ ପ୍ରତିଶତ, ଆଫଗାନିସ୍ତାନର ୮ ପ୍ରତିଶତ ଓ ବାଂଲାଦେଶର ୨ ପ୍ରତିଶତ ଲୋକେ ଭାରତୀୟ ନାଗରିକତା ଗ୍ରହଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com