
ଗୁଜୁରାଟ: ଏକାଠି ହେଲା କଂଗ୍ରେସ । ସମସ୍ତଙ୍କୁ ନେଇ ମେଳି ବାନ୍ଧିଲେ ଶୀର୍ଷ ନେତୃତ୍ୱ । ରଣହୁଙ୍କାର ଦେଲେ ଅଢେଇ ହଜାରରୁ ଅଧିକ ନେତା ମନ୍ତ୍ରୀ ଓ ତୁଙ୍ଗ ନେତୃବୃନ୍ଦ । ସେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗଡରେ । ଦୀର୍ଘ ୬୪ବର୍ଷ ପରେ ପ୍ରଥମଥର ପାଇଁ ଦଳ ଗୁଜୁରାଟରେ ଆୟୋଜନ କରିଛି ୨ ଦିନିଆ ମହାଅଧିବେଶନ । ଆଉ ଏହି ବିଶାଳ ସମାବେଶର ନାଁ ଥିଲା ନ୍ୟାୟପଥ । ଏଥିରେ ସୋନିଆ, ରାହୁଲ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ସଭାପତି ଖଡଗେ ଓ ଅନେକ ହେଭିୱେଟ୍ ଙ୍କୁ ଦେଖିବାକୁ ମିଳିଥିଲା ।
କୁହାଯାଉଛି ହାତର ଏହି “ପାୱାର ସୋ’ ପଛର ମୁଖ୍ୟ ଏଜେଣ୍ଡା ହେଉଛି ୬ ରାଜ୍ୟର ବିଧାନସଭା ନିର୍ବାଚନ । ତେବେ ମୋଦୀ ଓ ଶାହାଙ୍କ ଗଡ଼ରେ କାର୍ୟ୍ୟକ୍ରମ ଆୟୋଜନ କରି କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ଦଳ । ଗୁଜରାଟର ସ୍ଥାନୀୟ ସମସ୍ୟାଠୁ ନେଇ ୱାକଫ୍ ବିଲ, ଆମେରିକାର ଟାରିଫ, ଜାତିଭିତିକ ଜନଗଣନା, ଦେଶର ଆର୍ଥିକ ସ୍ଥିତି, ସମ୍ବିଧାନକୁ ବିଜେପି ଓ ଆରଏସଏସ ଦୁର୍ବଳ କରୁଥିବା ଅଭିଯୋଗ, ନିର୍ବାଚନରେ ଭୋଟର ତାଲିକାରେ ଗଡବଡ ଅଭିଯୋଗ ସହ ସରକାରଙ୍କୁ ଟାର୍ଗେଟ କରିଛି । ଦୀର୍ଘ ୩୦ବର୍ଷ ହେବ ଗୁଜରାଟରେ ବିଜେପି ଶାସନ କ୍ଷମତାରେ ରହିଛି ତେବେ ରାହୁଲ ଓ ଖଡ଼ଗେଙ୍କ ନେତୃତ୍ବରେ ଦଳ ରାଜ୍ୟକୁ ହାତମୁଠାକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛି । ଏହାସହ ଦଳୀୟ କନ୍ଦଳ, ମତଭେଦକୁ ଦୂର କରି ଏକୁଟିଆ ନୁହେଁ ଏକାଠି ନେଇ ଚାଲିବା ଉପରେ ଫୋକସ କରୁଛି । ଗତମାସରେ ରାହୁଲ ଗୁଜରାଟ ଗସ୍ତ କରି ଦଳର ଭିତିରି ଫାଟକୁ ପଦାକୁ ଆଣିବା ସହ କର୍ମୀଙ୍କୁ ତାଗିଦ କରିସାରିଛନ୍ତି । ଆଉ ଏବେ ମହାଅଧିବେଶନରେ ଶକ୍ତିପ୍ରଦର୍ଶନ କଂଗ୍ରେସ ।