ଓଡ଼ିଶା

ମାଟିରେ ମିଶିବ ଶିଶୁଭବନର ଐତିହାସିକ କୋଠା

କଟକ () ଦିନେ ମୋଗଲ ପ୍ରଶାସକଙ୍କଠାରୁ ଆରମ୍ଭ କରି ମରହଟ୍ଟା, ବ୍ରିଟିସ୍ ଏମିତିକି ଆଧୁନିକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ରହୁଥିଲେ କଟକରେ। କଟକର ଚାନ୍ଦିନୀଚୌକ ନିକଟରେ ଥିବା ବର୍ତ୍ତମାନର ଶିଶୁଭବନ ପରିସରର ଏହି କୋଠୀକୁ କୁହାଯାଏ ରାଜଭବନ। ତାହାକୁ ଏବେ ହସ୍ପିଟା‌ଲରେ ପରିଣତ କରି ଦିଆଯାଇଛି। କିନ୍ତୁ ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ ଥିବା ଏହି ପୁରୁଣା ଅଟ୍ଟାଳିକାର ଏକ ଅଂଶକୁ ଏବେ ଭାଙ୍ଗିବା ପାଇଁ ଯୋଜନା କରାଯାଇଛି। ରାଜ୍ୟପାଳଙ୍କ ସଚିବାଳୟ କୁହାଯାଉଥିବା ବର୍ତ୍ତମାନର ପୁରୁଣା ସର୍ଜରି ଓାର୍ଡକୁ ଭାଙ୍ଗି ସେହି ଜମିରେ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି। ଜାପାନ କୋଠା ପଛପଟେ ନିର୍ମାଣାଧୀନ ୭ ମହଲା କୋଠା ପାଇଁ ଏହି ରାସ୍ତା ନିର୍ମାଣ ହେବ। ସୂଚନା ଅନୁଯାୟୀ, ବର୍ତ୍ତମାନ ଶିଶୁଭବନର ମେଡିକାଲ୍ ଓାର୍ଡ-୨ ଭାବେ ପରିଚିତ କୋଠା ରାଜଭବନ ଥିଲା। ଏଠି ଥିବା ୬ଟି କୋଠରୀକୁ ରାଜ୍ୟପାଳ ଶୋଇବା ପାଇଁ ବ୍ୟବହାର କରୁଥିଲେ। ଏବେ ଯେଉଁଠି ଶିଶୁଭବନ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି, ସେଠି ନୃତ୍ୟଶାଳା ପାଇଁ କାଠର ମଞ୍ଚ ଥିଲା। ଏବେ ବି ଏହି କୋଠାର ଚଟାଣରେ କାଠ ମଞ୍ଚ ଥିବା ଦେଖିବାକୁ ମିଳେ। ତା ପାଖକୁ ଲାଗି ଏବେ ଯେଉଁଠି ପୁରୁଣା ସର୍ଜରି ଓାର୍ଡ ରହିଛି, ସେଠି ରାଜ୍ୟପାଳଙ୍କ ସଚିବାଳୟ ଥିବା କୁହାଯାଏ। ଅର୍ଥାତ ରାଜଭବନର ସମସ୍ତ ସରକାରୀ କାମ ଏହି କୋଠାରେ ହିଁ ହେଉଥିବା କୁହାଯାଏ। ମୋଗଲଙ୍କଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ନିର୍ମାଣ ପର୍ଯ୍ୟନ୍ତ ଏହି କୋଠାଗୁଡ଼ିକ ସହିତ ଅନେକ ସ୍ମୁତି ଓ ଅନୁଭୂତି ଜଡ଼ିତ ରହିଛି। ୬୫ ବେଡ ବିଶିଷ୍ଟ ମେଡିକାଲ୍ ଓାର୍ଡ-୨କୁ ୭ ମହଲା ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। ବେଡ୍ ସ୍ଥାନାନ୍ତର କରାଯିବା ପରେ ଏହି ରାଜଭବନ କୋଠାର ଭବିଷ୍ୟତ କଣ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ୪୦ ବେଡ୍ ଓ ଓଟି ଥିବା ସର୍ଜରି ଓାର୍ଡ କୋଠାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଶିଶୁଭବନର ଜାପାନ କୋଠା ପଛପଟେ ନିର୍ମାଣାଧୀନ ୭ ମହଲା କୋଠା ପାଇଁ ୪ ଲେନ୍‌ ରାସ୍ତାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ଜରି ଓାର୍ଡ କୋଠା ଭାଙ୍ଗି ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ସିଧା ରିଙ୍ଗ ବନ୍ଧରେ ବେଲଭ୍ୟୁ ଛକ ସହିତ ସଂଯୋଗ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com