ଓଡ଼ିଶା

ପୁଣି ଅଭିନବ ଉପାୟରେ ଲୁଟିଲେ: ଖୁଚୁରା ବାହାନାରେ ୨ ହଜାର ନେଇ ଛୁ’

ଭୁବନେଶ୍ବର() ଖୁଚୁରା ମାଗିବା ଆଳରେ ଜଣେ ଦୁର୍ବୃତ୍ତ ରବିବାର ଜଣେ ଭେରାଇଟି ଷ୍ଟୋର୍‌ ଦୋକାନୀଙ୍କୁ ୨ ହଜାର ଟଙ୍କାର ଚୂନ ମାରିଛି। ଏ ସଂପର୍କରେ ସଂପୃକ୍ତ ବ୍ୟବସାୟୀଜଣଙ୍କ ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍-୪ରେ ଥିବା ଉକ୍ତ ଭେରାଇଟି ଷ୍ଟୋର୍‌କୁ ଜଣେ ଯୁବକ ୨ ହଜାର ଟଙ୍କାର ଖୁଚୁରା ମାଗିଥିଲା। ବ୍ୟବସାୟୀଜଣକ ଖୁଚୁରା ଦେବା ପରେ ଯୁବକଜଣଙ୍କ ପାଖ ମେଡିସିନ୍ ଷ୍ଟୋର୍‌ରେ ଟଙ୍କା ଭୁଲ୍‌ରେ ଛାଡ଼ି ଦେଇ ଆସିଥିବା କହିଥିଲା। ତେଣୁ ସାଙ୍ଗରେ ପୁଅକୁ ପଠାଇ ଟଙ୍କା ନେଇଯିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲା।

ବ୍ୟବସାୟୀଜଣଙ୍କ ଏଥିରେ ରାଜି ହେବା ସହ ତାଙ୍କ ପୁଅକୁ ଉକ୍ତ ଯୁବକ ସାଥିରେ ଛାଡ଼ିଥିଲେ। ଯୁବକଜଣଙ୍କ ଗାଡ଼ିରେ ବସାଇ କିଛି ବାଟ ଯିବା ପରେ ଡବଲ ହେଲମେଟ୍ ନଥିବାରୁ ଆଗରେ ଟ୍ରାଫିକ୍‌ ପୁଲିସ ଧରିବ କହି ଦୋକାନୀଙ୍କ ପୁଅକୁ ୟୁନିଟ୍‌-୪ ଟ୍ରାଫିକ୍‌ ଛକ ନିକଟରେ ଗାଡ଼ିରୁ ଓହ୍ଲାଇ ଦେଇଥିଲା। ବ୍ୟବସାୟୀଙ୍କ ପୁଅ ଗାଡ଼ିରୁ ଓହ୍ଲାଇବା ପରେ ଦୁର୍ବୃତ୍ତ ଗାଡ଼ି ନେଇ ଚମ୍ପଟ୍ ମାରିଥିଲା। ପରେ ଘଟଣା ସଂପର୍କରେ ବ୍ୟବସାୟୀଙ୍କ ପୁଅ ଦୋକାନ ଆସି ବାପାଙ୍କୁ ଜଣାଇଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ଛାନଭିନ୍ କରିବା ସହ ସିସି କ୍ୟାମେରା ଆଧାରରେ ତଦନ୍ତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com