ଜାତୀୟ

ଏୟାର୍‌ ଇଣ୍ଡିଆର ପୁନରୁଦ୍ଧାର: ଟାଟାକୁ ଲୋଡ଼ା ୩୭,୫୦୦ କୋଟି

ନୂଆଦିଲ୍ଲୀ() ୬୯ ବର୍ଷ ପରେ ଘରକୁ ଫେରିଛି ଏୟାର୍‌ ଇଣ୍ଡିଆ । ପୁରୁଣା ମାଲିକ ଟାଟା ପାଖକୁ ଆସିଛି ଏହାର ମାଲିକାନା । କ୍ଷତିରେ ଚାଲୁଥିବା ଏହି ବିମାନ କମ୍ପାନିକୁ ଲାଭକାରୀ କରିବା ପାଇଁ ଟାଟା ସନ୍ସକୁ ଅନେକ ଅର୍ଥ ସାରିବାକୁ ପଡ଼ିପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏୟାର୍‌ ଇଣ୍ଡିଆର ପୁନରୁଦ୍ଧାର ପାଇଁ ଟାଟା ଗ୍ରୁପ୍‌କୁ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୫୦୦ କୋଟି ଡଲାର ବା ୩୭,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।

କମ୍ପାନି ଉପରେ ଥିବା ୧୫,୦୦୦ କୋଟି ଟଙ୍କାର ଋଣ ମଧ୍ୟ ଏଥିରେ ରହିଛି, ଯାହାକୁ ଟାଟା ସନ୍ସ ଶୁଝିବ । ଏହା ବାଦ ଆହୁରି ଅନେକ ଖର୍ଚ୍ଚ ମଧ୍ୟ ଟାଟାକୁ କରିବାକୁ ପଡ଼ିବ । ବିମାନଗୁଡ଼ିକର ନବୀକରଣ ସହ ଅନ୍ୟାନ୍ୟ ମରାମତି ଦିଗରେ ବି ବିପୁଳ ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବ୍ୟବସାୟକୁ ଲାଭକୁ ନେବା ପାଇଁ ଅଟୋମୋବାଇଲରୁ ବିମାନ ପର୍ଯ୍ୟନ୍ତ ଚେର ଲମ୍ବାଇଥିବା ଟାଟା ଗ୍ରୁପ୍‌କୁ ୩ ବଦଳରେ ଗୋଟିଏ ଏୟାର୍‌ଲାଇନ୍ସ ବନାଇବାକୁ ପଡ଼ିବ । ପୂର୍ବରୁ ଭିସ୍ତାରା ଏବଂ ଏୟାର୍‌ ଏସିଆ ଇଣ୍ଡିଆ ଟାଟା ସନ୍ସ ନିକଟରେ ଅଛି । ଏବେ ଏଥିରେ ଏୟାର୍‌ ଇଣ୍ଡିଆ ଯୋଡ଼ି ହୋଇଯାଇଛି । ଏହି ୩ଟିକୁ ମିଶାଇ ଗୋଟିଏ କଲେ ଯାଇ କିଛି ମାତ୍ରାରେ ଖର୍ଚ୍ଚ କମିଯିବ । ପାଣ୍ଠି ଏକତ୍ର କରିବା ପାଇଁ କମ୍ପାନିକୁ ଟିକଟ ଦରରେ ଅନ୍ୟୁନ ୧୫% ବୃଦ୍ଧି କରିବାକୁ ପଡ଼ିବ । କ୍ଷତିରେ ଥିବା ରୁଟ୍‌ଗୁଡ଼ିକୁ କମାଇବା ସହ ଅନ୍ତର୍ଜାତୀୟ ରୁଟ୍‌ଗୁଡ଼ିକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଜଟିଳ ଇଞ୍ଜିନିୟରିଂ କଣ୍ଟ୍ରାକ୍ଟ ଉପରେ ପୁନଃ କାର୍ଯ୍ୟ କରିବା ତଥା ମାନବ ସମ୍ବଳକୁ କାଟଛାଣ୍ଟ କରିବା ବଡ଼ ଆହ୍ୱାନ ହୋଇପାରେ ବୋଲି ଏମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ମଧ୍ୟରେ ଘାଣ୍ଟି ହେବା ପରେ ଶେଷରେ ଏୟାର୍‌ ଇଣ୍ଡିଆ ଏହାର ପୁରୁଣା ମାଲିକ ପାଖକୁ ଫେରିଆସିଛି । ୧୯୫୩ ଅଗଷ୍ଟରେ କମ୍ପାନିର ମୂଳ ପ୍ରତିଷ୍ଠାତା ଜେଆର୍‌ଡି ଟାଟାଙ୍କଠାରୁ କେନ୍ଦ୍ର ସରକାର ଏୟାର୍‌ ଇଣ୍ଡିଆର ନିୟନ୍ତ୍ରଣ ନେଇଥିଲେ । ଶିଳ୍ପ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ସଙ୍କଟକୁ ଏଡାଇବା ପାଇଁ ଟାଟା ସନ୍ସର ସାମର୍ଥ୍ୟ ରହିଛି । ଏୟାର୍‌ ଇଣ୍ଡିଆ, ଭିସ୍ତାରା ଏବଂ ଏୟାର୍‌ ଏସିଆ ଇଣ୍ଡିଆକୁ ମିଶାଇ ଗୋଟିଏ ୟୁନିଟ୍‌ କରି ଦିଆଯାଇପାରିବ । ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏୟାର ଇଣ୍ଡିଆର ମୋଟ କ୍ଷତି ୮୩,୯୧୬ କୋଟି ଟଙ୍କା ଥିଲା । ୨୦୨୦-୨୧ରେ ଏୟାର୍‌ ଏସିଆ ଇଣ୍ଡିଆର କ୍ଷତି ୧,୫୩୨ କୋଟି ଏବଂ ଭିସ୍ତାରାର ୧,୬୧୨ କୋଟି ଟଙ୍କା ରହିଥିଲା । ସମ୍ପ୍ରତି ଏୟାର୍‌ ଇଣ୍ଡିଆର କର୍ମଚାରୀ ସଂଖ୍ୟା ୧୨,୦୮୫ ରହିଛି । ସର୍ତ୍ତ ଅନୁସାରେ ବର୍ଷକ ପାଇଁ ଟାଟା ଗ୍ରୁପ୍‌ ଏମାନଙ୍କୁ କାଢ଼ିପାରିବ ନାହିଁ । ଏହା ପରେ ସେମାନଙ୍କୁ କମ୍ପାନି ପକ୍ଷରୁ ଭିଆର୍‌ଏସ୍‌ ବିକଳ୍ପ ପ୍ରଦାନ କରାଯିବ । ଏହା ଟାଟା ସନ୍ସ ପାଇଁ ଆହ୍ୱାନମୂଳକ ରହିପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । କମ୍ପାନି ପାଇଁ ବିଶ୍ୱ ବିମାନ ଶିଳ୍ପରୁ ଜଣେ ଦକ୍ଷ ସିଇଓ ଆଣିବାକୁ ପଡ଼ିବ, ଯିଏକି ଏୟାର୍‌ ଇଣ୍ଡିଆ ପାଇଁ ମଜଭୁତ ରଣନୀତି ପ୍ରସ୍ତୁତ କରିପାରିବେ । ଅନ୍ୟୁନ ୪ରୁ ୫ ବର୍ଷ ପଦରେ ରହି ତାଙ୍କୁ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପଡ଼ିବ ବୋଲି ଶିଳ୍ପ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com