ଅନ୍ୟାନ୍ୟ

ପେଗାସସ୍‌ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଲେ ଚିଦାମ୍ବରମ

ନୂଆଦିଲ୍ଲୀ: ନ୍ୟୁୟର୍କ ଟାଇମ୍ସର ପେଗାସସ୍‌ ରିପୋର୍ଟକୁ ନେଇ ଭାରତରେ ରାଜନୀତିକ ଘମାସାନ ଦେଖିବାକୁ ମିଳିଛି। ୨୦୧୭ରେ ମୋଦି ସରକାରର ଇସ୍ରାଏଲ ସ୍ପାଇୱେୟାର ପେଗାସସ ପାଇଁ ଚୁକ୍ତି କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସହ ଇସ୍ରାଏଲର କୂଟନୀତିକ ସମ୍ପର୍କକୁ ୩୦ ବର୍ଷ ପୂରିଥିବାରୁ ଗୋଟିଏ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପେଗାସସ ବିବାଦ ମଧ୍ୟରେ ମୋଦିଙ୍କ ଏପରି ବାର୍ତ୍ତାକୁ ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ତୀବ୍ର ସମାଲୋଚନା କରିଛନ୍ତି।

ଏଥିସହ ସେ ସେ ପେଗାସସ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମଧ୍ୟ ମାରିଛନ୍ତି। ସେ ଟ୍ୱିଟ କରି ପେଗାସସର ସ୍ପାଇୱେୟାରର ଅତ୍ୟାଧୁନିକ ଭର୍ସନ ଆସିଲାଣି କି ନାହିଁ, ସେକଥା ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲକୁ ପଚାରନ୍ତୁ ବୋଲି ଚିଦାମ୍ବରମ ତାଚ୍ଛଲ୍ୟ କରିଛନ୍ତି।

ସେ କହିଛନ୍ତି, “ ପ୍ରଧାନମନ୍ତ୍ରୀ ନିଜ ଭିଡିଓ ବାର୍ତ୍ତାରେ ଭାରତ-ଇସ୍ରାଏଲ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିବା କଥା କହିଛନ୍ତି। ନୂଆ ଲକ୍ଷ୍ୟ ପାଇଁ ଏହା ଉନଯୁକ୍ତ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହଁ ନିଶ୍ଚିତ। ପେଗାସସ୍‌ ସ୍ପାଇୱେୟାରର ଅତ୍ୟାଧୁନିକ ଭର୍ସନ ଇସ୍ରାଏଲ ଏବେ ପ୍ରସ୍ତୁତ କରିଛି କି ନାହିଁ, ସେକଥା ପଚାରିବା ପାଇଁ ମଧ୍ୟ ବର୍ତ୍ତମାନ ଉପଯୁକ୍ତ ସମୟ। ପୂର୍ବ ଡିଲ୍ ୨ ବିଲିୟନର ଡଲାରର ଥିଲା।

ଭାରତ ଏଥର ଆହୁରି ଭଲ କରିପାରିବ। ଯଦି ୨୦୨୪ ନିର୍ବାଚନ ପୂର୍ବରୁ ଆହୁରି ଭଲ ଓ ଅତ୍ୟାଧୁନିକ ସ୍ପାଇୱେୟାର ମିଳିପାରିବ, ତା’ହେଲେ ଆମେ ଏଥିପାଇଁ ସେମାନଙ୍କୁ ୪ ବିଲିୟନ ଡଲାର ଦେଇପାରିବୁ।”

ଶନିବାର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ଭାରତ ସରକାର ଇସ୍ରାଏଲ ସହ ୨୦୦ କୋଟି ଡଲାରର ଚୁକ୍ତି କରିଥିଲେ। ଗୋଟିଏ ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଓ ପେଗାସ୍‌ସ ସ୍ପାଇୱେୟାର ଆଣିବା ହିଁ ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିଥିଲେ। ଏହି ସମୟରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିଥିଲେ। ଏଥିସହ ଇସ୍ରାଏଲ ସହ ପ୍ରାୟ ୨୦୦ କୋଟି ଡଲାରର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ଇସ୍ରାଏଲ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦାଗିରି ପାଇଁ ବ୍ୟବହୃତ ସିଷ୍ଟମ ଦେବାକୁ ରାଜି ହୋଇଥିଲା। ଏହା ମଧ୍ୟରେ ପେଗାସସ୍‌ ଓ ଗୋଟିଏ ମିସାଇଲ ସିଷ୍ଟମ ରହିଥିଲା।

ମୋଦିଙ୍କ ଗସ୍ତ ପରେ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଭାରତ ଆସିଥିଲେ। ଏହାପରେ ଭାରତ ୨୦୧୯ ଜୁନ୍‌ ମାସରେ ଇସ୍ରାଏଲକୁ ସମର୍ଥନ କରି ଜାତିସଂଘରେ ଭୋଟ ଦେଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି।

ଏହାକୁ ନେଇ ବିରୋଧୀ କଂଗ୍ରେସ ଆଟାକିଂ ମୋଡକୁ ଚାଲି ଆସିଛି। ମୋଦି ସରକାର ନିଜ ଲୋକଙ୍କ ଉପରେ ପେଗାସସ ବ୍ୟବହାର କରି ଦେଶଦ୍ରୋହ ଭଳି କାମ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିସହ ଏହି ପ୍ରସଙ୍ଗକୁ ଦଳ ସଂସଦର ବଜେଟ ଅଧିବେଶନରେ ଉଠାଇବ ବୋଲି କହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com