ଜାତୀୟ

ବିବାହ ପୂର୍ବରୁ ଚାରିଚକିଆ, ମଟରସାଇକେଲ ଓ ଫର୍ଣ୍ଣିଚର ମାଗିବାରୁ କନ୍ୟାପକ୍ଷ ବିବାହ ରୋକି ଥାନାରେ କଲେ ମାମଲା

ଚଣ୍ଡିଗଡ() ହରିୟାଣାର କର୍ଣ୍ଣାଲରେ ଝିଅର ପରିବାରଙ୍କୁ ବିବାହର ଦୁଇମାସ ପୂର୍ବରୁ ଯୌତୁକରେ ଏସୟୁଭି ଗାଡି ମାଗିବା ଅଭିଯୋଗରେ ବର, ତାର ମାତାପିତା, ସମ୍ପର୍କୀୟ ସମେତ ୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। କନ୍ୟାପକ୍ଷ କହିଛନ୍ତି ବିବାହ ଠିକ୍ ହେବାର ବହୁ ଦିନ ପର୍ଯ୍ୟନ୍ତ ବରଘର ପକ୍ଷରୁ କୌଣସି ଯୌତୁକ ବରାଦ କରାଯାଇ ନଥିଲା କିନ୍ତୁ ବାହାଘରର ଦୁଇ ସପ୍ତାହ ପୂର୍ବରୁ ବରଘରୁ ଯୌତୁକ ବରାଦ କରାଯାଇଛି।

କନ୍ୟାର ପରିବାର କୁଞ୍ଜପୁରା ଥାନାରେ ମାମଲା ଦାୟର କରିଛନ୍ତି। ମାମଲାରେ ସେମାନେ ଉଲ୍ଲେଖ କରିଛନ୍ତି, ସେମାନେ ବାହାଘରକୁ ରଦ୍ଦ କରିଦେଇଛନ୍ତି ଓ ବର ସହିତ ତାର ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି କାରଣ ସେମାନେ ଦିନକୁ ଦିନ ଅଧିକ ଯୌତୁକ ମାଗିବାରେ ଲାଗିଥିଲେ। ବରପକ୍ଷ ହୁଣ୍ଡାଇ କ୍ରେଟା ସହ ସୁନା ଓ ଅନ୍ୟାନ୍ୟ ଜିନିଷ ବି ଦାବି କରିଥିଲେ।

କଲବେହାରୀ ଗ୍ରାମରେ ରହିଥିବା କନ୍ୟାର ପିତା ଅଭିଯୋଗ କରି କହିଛନ୍ତି, ତାଙ୍କ ଝିଅର ବାହାଘର ପାଖାପାଖି ୬ ମାସ ପୂର୍ବରୁ ସୋନିପତ୍ ଜିଲ୍ଲାର ଦତୌଲି ଗ୍ରାମର ସଲିନ୍ଦର ସହ ସ୍ଥିର ହୋଇଥିଲା। ବର ଖରଖୋଦାରେ ବିଦ୍ୟୁତ ବିଭାଗରେ ଚାକିରି କରେ। ସେ କହିଛନ୍ତି ବରଘର ପୂର୍ବରୁ ଶପଥ କରିଥିଲେ ଯେ ସେମାନେ କୌଣସି ଯୌତୁକ ନେବେ ନାହିଁ । ବିବାହ ଫେବୃଆରି ୧୧ ତାରିଖ ଦିନ ହେବ ବୋଲି ସ୍ଥିର ହୋଇଥିଲା। ସେମାନେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରି ସାରିଥିଲେ। କିନ୍ତୁ ଜାନୁଆରି ୨୪ ତାରିଖ ବରଘର ଏକ ଏସୟୁଭି, ଗୋଟିଏ ମଟରସାଇକେଲ ଓ ଉନ୍ନତମାନର ଫର୍ନିଚର ଦେବା ପାଇଁ କହିଥିଲେ ।

ଏହି ମାମଲାରେ ପୁଲିସ ନିଜ ପ୍ରତିକ୍ରିୟାରେ କହିଛି, ବର ସଲିନ୍ଦର ସହିତ ତାଙ୍କ ପରିବାରର ୭ ଜଣଙ୍କ ନାମରେ ଯୌତୁକ ଆଇନର ଧାରା ୩ ଓ ୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ଚାଲୁ ରହିଛି, ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com