ଜାତୀୟ

ଅନେକ ଭାରତୀୟ ନାରୀମାନଙ୍କୁ ମଣିଷ ବୋଲି ବିଚାର କରନ୍ତି ନାହିଁ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଅନେକ ଭାରତୀୟ ନାରୀମାନଙ୍କୁ ମଣିଷ ଜ୍ଞାନ କରିନ୍ତି ନାହିଁ ବୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ସରବ୍ୟ ହୋଇ ମାଡ଼ ଖାଉଥିବା ଦୃଶ୍ୟ ଥିବା ଭାଇରାଲ୍‌ ଭିଡିଓ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।

ସୂଚନା‌େଯୋଗ୍ୟ, ଚଳିତ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ପଡ଼ୋଶୀମାନେ ମାଡ଼ ଦେଇ ଜୋତା ମାଳ ପିନ୍ଧାଇ ଦିଲ୍ଲୀ ରାସ୍ତାରେ ଚଲାଇ ଚଲାଇ ନେଉଥିବା ବେଳେ ଅନ୍ୟମାନେ ହର୍ଷୋତ୍‌ଫୁଲ୍ଲିତ ହେଉଛନ୍ତି।

ଏ ବିଷୟରେ ଟୁଇଟ୍‌ କରି ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି, ୨୦ ବର୍ଷୀୟ ଯୁବତୀ ନିର୍ମମ ଭାବେ ମାଡ଼ ଖାଉଥିବାର ଦୃଶ୍ୟ ଥିବା ଭିଡିଓ ଆମ ସମାଜର ଉଦ୍‌ବେଗଜନକ ଦିଗଟିକୁ ଦର୍ଶାଉଛି। ଅପ୍ରିୟ ସତ କଥାଟି ହେଲା, ଅନେକ ଭାରତୀୟ ନାରୀମାନଙ୍କୁ ମଣିଷ ବୋଲି ବିବେଚନା କରନ୍ତି ନାହିଁ। ଏଭଳି ଲଜ୍ଜାଜନକ ବାସ୍ତବତା ସଂକ୍ରାନ୍ତରେ ଗୁରୁତ୍ବାରୋପ କରାଯାଇ ତାହାର ପ୍ରତିକାର କରାଯିବା ଉଚିତ।

ସୂଚନାଯୋଗ୍ୟ, ଉକ୍ତ ଭିଡିଓ ଅନ୍‌ଲାଇନ୍‌ରେ ପ୍ରସାରିତ ହେବା ପରେ ଦିଲ୍ଲୀ ପୁଲିସ ୧୧ଜଣଙ୍କୁ ଗିରଫ କରିଛି।

ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବାରୁ ସାମାଜିକ ଗଣମାଧ୍ୟମରେ ଗୁଜବ ନ ରଟିବା ପାଇଁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଆଜି ଶାହଦରା ଡେପୁଟି ପୁଲିସ କମିସନର୍‌ ଆର୍‌. ସାଥିୟାସୁନ୍ଦରମ୍‌ କହିଛନ୍ତି, କେତେକ ଲୋକ ଉକ୍ତ ଘଟଣାକୁ ସାମ୍ପ୍ରଦାୟିକ ମୋଡ଼ ଦେବାକୁ ଉଦ୍ୟମ କରୁଛନ୍ତି, ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ବୋଲି କେତେକ ଗୁଜବ ରଟୁଛନ୍ତି। ଏସବୁ ଭ୍ରମାତ୍ମକ ଏବଂ ମିଥ୍ୟା ସୂଚନା। ପୀଡ଼ିତା ନିରାପଦ ଅଛନ୍ତି।

ପୀଡ଼ିତାଙ୍କୁ ଭେଟିଥିବା ଦିଲ୍ଲୀ ମହିଳା କମିସନ୍‌ ମୁଖ୍ୟ ସ୍ବାତୀ ମାଲିୱାଲ୍‌ ଟୁଇଟ୍‌ କରି କହିଥିଲେ ଯେ, କାର୍ଯ୍ୟାନୁଷ୍ଠାନ ଏବଂ ଅଧିକ ଗିରଫଦାରି ପାଇଁ ସେ ଦିଲ୍ଲୀ ପୁଲିସକୁ ଭେଟିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com