ଓଡ଼ିଶା

ଆସିଲା ଫେବ୍ରୁଆରି ଗାଇଡଲାଇନ୍: ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ, ସରସ୍ୱତୀ ପୂଜା ଓ ମାଘ ସପ୍ତମୀ ପାଇଁ କଟକଣା

ଭୁବନେଶ୍ବର() ଫେବ୍ରୁଆରି ମାସ ଲାଗି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ପରଦିନ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି କୁହାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନରେ ଚାଲିବ।

ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ୍ ଅନୁଯାୟୀ ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟତ୍ର ସରସ୍ୱତୀ ପୂଜାକୁ ବାରଣ କରାଯାଇଛି। କୋଭିଡ କଟକଣା ମଧ୍ୟରେ ଘରେ ପରିବାରର ସଦସ୍ୟଙ୍କ ସହ ପୂଜା ପାଳିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦିଆଯାଇଛି। ପୂଜା ଅବସରରେ ହେଉଥିବା ଭୋଜିକୁ ଅନୁମତି ନାହିଁ।

ରାତ୍ରିକାଳୀନ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ ଡେଲିଭରିକୁ ଅନୁମତି ମିଳିଛି। ଜମାଟୋ ଓ ସ୍ବିଗି ଆଜି ସଂସ୍ଥା ରେସ୍ତୋରାଁରୁ ଖାଦ୍ୟ ପହଞ୍ଚାଇ ପାରିବେ। ଓମଫେଡ୍, ଓପୋଲୋଫେଡ୍ ଓ ଚିଲିକା ଫ୍ରେସ୍ ଆଉଟଲେଟ୍ ରାତ୍ରିକାଳୀନ କର୍ଫ୍ୟୁ ବେଳେ ଖୋଲା ରହିପାରିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ସପିଂ କମ୍ପ୍ଲେକ୍ସ, ବଜାର, ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍ ଓ ସମ୍ମିଳନୀ କକ୍ଷ ଖୋଲା ରହିପାରିବ।

ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ। ତେବେ ମାଘ ମେଳା ଓ ମାଘ ପୂର୍ଣ୍ଣିମା ରୀତିନୀତି ଅନୁସାରେ ମନ୍ଦିର/ଦେବାଳୟରେ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com