ଓଡ଼ିଶା

୫ କୋଟିର ତଦନ୍ତ କରୁ କରୁ ୧୦୦ କୋଟି ଠକେଇର ପର୍ଦ୍ଦାଫାସ୍

ଭୁବନେଶ୍ବର() ୫ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ବଡ଼ ଘୋଟାଲାର ପର୍ଦ୍ଦାଫାସ୍ କରିଛି। ଅଭିଯୁକ୍ତ କମ୍ପାନି ସମ୍ବନ୍ଧ ଫାଇନାନ୍ସ ୫ ବର୍ଷ ଭିତରେ ଶହେ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଇଓଡବ୍ଲୁ ପ୍ରମାଣ ପାଇଛି। ସମ୍ବନ୍ଧ ଫାଇନାନ୍ସ ଏମଡି ଦୀପକ କିଣ୍ଡୋ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ପତ୍ନୀ ତଥା ଦିୟା ଡାଏରି ଆଗ୍ରୋ ପ୍ରୋସେସର୍ ପ୍ରାଇଭେଟ୍ ଲିମିଟେଡ୍ ଏମଡି ଅମ୍ରିତା କିଣ୍ଡୋଙ୍କୁ ଗତକାଲି ଇଓଡବ୍ଲୁ ଗିରଫ କରିଛି। ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ପରେ ଅମ୍ରିତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏସଏଚଜିକୁ ଋଣ ପ୍ରଦାନ କରିବା ଦର୍ଶାଇ ସମ୍ବନ୍ଧ ଫାଇନାନ୍ସ ୨୦୨୦ରେ ଅନ୍ନପୂର୍ଣ୍ଣ ଫାଇନାନ୍ସ ଠାରୁ ୫ କୋଟି ଟଙ୍କା ଋଣ ଆଣିଥିଲା। ଚୁକ୍ତି ମୁତାବକ ଋଣ ପରିଶୋଧ କରି ନ ଥିଲା। ଯେଉଁ କାଗଜପତ୍ର ଦାଖଲ କରି ଋଣ ଅଣା ଯାଇଥିଲା ତାହା ଜାଲ୍ ଥିଲା ବୋଲି ଜଣା ପଡ଼ିଥିଲା। ଏ ନେଇ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନି ପକ୍ଷରୁ ୨୦୨୧ ଡିସେମ୍ବରରେ ଇଓଡବ୍ଲୁରେ ଅଭିଯୋଗ କରା ଯାଇଥିଲା। ଇଓଡବ୍ଲୁ ପକ୍ଷରୁ ଆଇପିସି ଦଫା-୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି)ରେ ସମ୍ବନ୍ଧ କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଥିଲା।

ତଦନ୍ତ ବେଳେ ଜଣା ପଡ଼ିଥିଲା କମ୍ପାନି ପକ୍ଷରୁ ଦାଖଲ ହୋଇଥିବା ସମସ୍ତ କାଗଜପତ୍ର ଜାଲ୍ ଥିଲା। କେବଳ ଅନ୍ନପୂର୍ଣ୍ଣା ନୁହେଁ ଦୁଇ ଘରୋଇ ବ୍ୟାଙ୍କ, ଏକାଧିକ ଫାଇନାନ୍ସ ସଂସ୍ଥାରୁ ମଧ୍ୟ ସମାନ ଧରଣର ଠକେଇ ହୋଇଥିଲା। ୨୦୧୫ରୁ ୨୦୨୦ ମଧ୍ୟରେ ଏହି ସବୁ ଠକେଇ କରା ଯାଇଥିଲା। ଠକେଇର ପରିମାଣ ଶହେ କୋଟି ଟଙ୍କା ଟପିଯିବ ବୋଲି ଇଓଡବ୍ଲୁର ଜଣେ ଅଧିକାରୀ କହିଛନ୍ତି। ଠକେଇ ଅର୍ଥରୁ ସମ୍ବନ୍ଧ ଫାଇନାନ୍ସର ସହଯୋଗୀ କମ୍ପାନି ଦିୟା ଡାଏରି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ୨୨ କୋଟି ୨୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏଥିପାଇଁ ଦିୟା ଡାଏରି ଏମଡି ଅମ୍ରିତାଙ୍କୁ ଗିରଫ କରାଯାଇଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି। ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରହିଥିବା ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com