ଜାତୀୟ

ଦେଶ ବିରୋଧୀ ପୋଷ୍ଟ ପାଇଁ କଶ୍ମୀର ସମ୍ପାଦକ ଗିରଫ

ଶ୍ରୀନଗର: ସୋଶାଲ ମିଡିଆରେ ଦେଶ ବିରୋଧୀ ପୋଷ୍ଟ ଅଭିଯୋଗରେ ପୁଲିସ୍‌ କଶ୍ମୀର ୱାଲା ୱେବସାଇଟର ସମ୍ପାଦକ ଫହାଦ ଶାହଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଫହାଦ କରିଥିବା ପୋଷ୍ଟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶଂସା କରାଯାଇଛି। ପୋଷ୍ଟ ଜରିଆରେ ସେ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି।

ସୋଶାଲ ମିଡିଆ ପୋଷ୍ଟର ତଦନ୍ତ କରିବା ପରେ ଅଭିଯୁକ୍ତ ଫହାଦ ଶାହଙ୍କୁ ଗିରଫ କରାଯାଇଛି। ଏବେ ସେ ପୁଲିସ୍‌ ରିମାଣ୍ଡରେ ଅଛନ୍ତି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସାମ୍ବାଦିକ ଫହାଦ ଶାହଙ୍କ ଗିରଫଦାରୀ ଘଟଣାକୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ସତ୍ୟର ରାସ୍ତାରେ ଛିଡ଼ା ହେବା ଘଟଣାକୁ ଦେଶ ବିରୋଧୀ ଭାବେ ବିବେଚନା କରାଯାଉଛି। ସେହିପରି ଅହଂକାରୀ ଓ ଅସହିଷ୍ଣୁ ପ୍ରଶାସନକୁ ତା’ର ଆଇନା ଦେଖାଇବା ମଧ୍ୟ ଦେଶଦ୍ରୋହ। ଫହାଦଙ୍କ ସାମ୍ବାଦିକତା ହିଁ ତାଙ୍କ କାର୍ଯ୍ୟର ପ୍ରତିଫଳନ। ଆଉ କେତେ ଜଣ ଫହାଦଙ୍କୁ ଆପଣ ଗିରଫ କରିବେ?”

ତେବେ ପୁଲିସ୍‌ କହିଛି ଯେ ଫହାଦଙ୍କ ୱେବସାଇଟି ଜାଣିଶୁଣି ଅପରାଧିକ ଓ ଦେଶ ବିରୋଧୀ କଣ୍ଟେଣ୍ଟ ପୋଷ୍ଟ କରୁଛି। କିଛି ଫେସବୁକ ବ୍ୟବହାରକାରୀ ଓ ପୋର୍ଟାଲ ଜାଣିଶୁଣି ଦେଶବିରୋଧୀ ବିଷୟବସ୍ତୁ ପୋଷ୍ଟ କରୁଛନ୍ତି। ସେମାନେ ଫଟୋ, ଭିଡିଓ ଓ ଲେଖା ପୋଷ୍ଟ କରି ଲୋକଙ୍କ ଉସକାଇବାକୁ ଚେଷ୍ଟା କରୁଛନ୍ତି। ଏହା ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାର ଆଶଙ୍କା ଥିବା ମଧ୍ୟ ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com