ଜାତୀୟରାଜନୀତି

କର୍ଣ୍ଣାଟକରେ ବୁର୍ଖାକୁ ନେଇ ତେଜୁଛି ବିବାଦ, ଲାଲୁ କହିଲେ ଏଭଳି କଥା

କର୍ଣ୍ଣାଟକ () ଶିକ୍ଷାନୁଷ୍ଠାନରେ ଧର୍ମୀୟ ଭାବନାକୁ ନେଇ କର୍ଣ୍ଣାଟକରେ ବୁର୍ଖାକୁ ନେଇ ବିବାଦ ଦେଖା ଦେଇଛି । ଏହି ବିବାଦ ଏବେ ଗୋଟିଏ କଲେଜରୁ ଡେଇଁ ସାରା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ତୀବ୍ର ହେବାରେ ଲାଗିଛି । ଶିକ୍ଷାନୁଷ୍ଠାନର ବିବାଦ ଏବେ ଦେଶ ରାଜନୀତିରେ ପ୍ରବେଶ କରିସାରିଛି । ଏନେଇ ଦେଶର ବଡ ବଡ ନେତାମାନେ ଏହାକୁ ରାଜନୀତିର ରଙ୍ଗରେ ରଙ୍ଗିନ କରି ଭୋଟ ରୋଟି ସେକିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ରାଜନୀତିରେ ଅଦୃଶ୍ୟ ହୋଇଯାଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଏହି ପ୍ରସଙ୍ଗ ପାଇଁ ଏବେ ଦେଶ ଗୃହ ଯୁଦ୍ଧ ଆଡେ ଅଗ୍ରସର ହେଉଛି । କେବଳ ଲାଲୁ ନୁହଁନ୍ତି ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ବୁର୍ଖା ବିବାଦକୁ ନେଇ ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି କିଏ କଣ ପିନ୍ଧିବ ତାହା ସେମାନଙ୍କର ମୌଳିକ ଅଧିକାର ।
କହିରଖୁ କି କର୍ଣ୍ଣାଟକ ସରକାର ଏହି ହିଜାବ ବିବାଦକୁ ନେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି । ହେଲେ ବିବାଦ ଥମିବାର ନାଁ ନେଉନି, ଏହି ପ୍ରସଙ୍ଗରେ ଅସଦୁଦ୍ଦିନ ଓୱେସି, ମୋହସିନ ରାଜା, ବିକେ ସିଂ ଭଳି ନେତାମାନେ ବୟାନ ଦେଇଛନ୍ତି । ଓୱେସି କହିଛନ୍ତି କି ଦେଶରେ ଘୃଣା ସୃଷ୍ଟି କରିବାକୁ ଏହି ପ୍ରସଙ୍ଗକୁ ଜାଣିଶୁଣି ଜନ୍ମ ଦିଆଯାଇଛି । ଅନ୍ୟପଟେ ବିଜେପି ତରଫରୁ ଆଇନର ଦ୍ୱାହି ଦେଇ ଶିକ୍ଷାନୁଷ୍ଠାନରେ ବୁର୍ଖା ପିନ୍ଧିବାକୁ ବେଆଇନ ବୋଲି କହିଛି ।
କର୍ଣ୍ଣାଟକ ପରେ ହାଇଦ୍ରାବାଦରେ ବୁଧବାରଦିନ କିଛି କଲେଜ ଛାତ୍ରୀ ବୁର୍ଖା ସମର୍ଥନରେ ଧାରଣାରେ ବସିଥିଲେ । ଏନେଇ ସେମାନେ ବୁର୍ଖା ପିନ୍ଧି ପଦଯାତ୍ରା କରୁଥିବା ବେଳେ ସେପଟେ କିଛି ଛାତ୍ରୀ ବେକରେ ଗେରୁଆ ଗାମୁଛା ପକାଇ ବୁର୍ଖା ବିରୋଧରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।
ଏହି ମାମଲା ଏବେ କର୍ଣ୍ଣାଟକ ହାଇକୋର୍ଟରେ ବିଚାରଧିନ ରହିଛି । ମାମଲା ଶୁଣାଣି କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟ କହିଥିଲେ କି ସମ୍ବିଧାନର ପ୍ରସ୍ତାବନା ମୁତାବକ ଦେଶରେ ଆଇନ ଚାଲିବ, ହେଲେ ଧର୍ମ ଜାତି ଆଧାରରେ ଆଇନକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଅନ୍ୟପଟେ ଆଜି ସିପିଆଇଏମର ଜଣେ ବରିଷ୍ଠ ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com