ଅନ୍ତର୍ଜାତୀୟଜାତୀୟ

ଶ୍ରୀଲଙ୍କା ସଙ୍କଟ: ଭୋକ ଦାଉରୁ ବଞ୍ଚାଇବାକୁ ଭାରତ ପଠାଇଲା ୪୦ ହଜାର ଟନ୍‌ ଚାଉଳ, ଡିଜେଲ ପଠାଇପାରେ

ନୂଆଦିଲ୍ଲୀ:  ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା । ଖାଦ୍ୟର ଘୋର ଅଭାବ ଦେଶରେ ହାହାକାର ସୃଷ୍ଟି କରିଛି । ଗୋଟିଏ ପଟେ ଆର୍ଥିକ ସଙ୍କଟକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ଜରୁରୀକାଳୀନ ସ୍ଥିତି  ।  ଚାଉଳ କିଲୋ ୫୦୦ ପହଞ୍ଚିଥିବାବେଳେ ଚିନି କିଲୋ ୩୦୦ରେ ପହଞ୍ଚିଛି  । ଗାଡ଼ିରେ ଇନ୍ଧନ ପକାଇବା ପାଇଁ ଲୋକଙ୍କୁ ଟାଙ୍କି ନିକଟରେ ସାରା ଦିନ ଅପେକ୍ଷା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି । ଭାରତୀୟ ଟ୍ରେଡର୍ସ ୪୦ ହଜାର ଟନ୍‌ ଚାଉଳ ଲୋଡ୍‌ କରିବାରେ ଲାଗି ପଡ଼ିଛନ୍ତି  ।

କେବଳ ଚାଉଳ ନୁହେଁ ବରଂ ଚାଉଳ ପଠାଇବା ପରେ ଭାରତ ଡିଜେଲ ପଠାଇବା କଥା ବିଚାର କରୁଛି  । State-run Indian Oil Corporation ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ ପଠାଇପାରେ ବୋଲି କୁହାଯାଉଛି ।

ପଟାଭି ଆଗ୍ରୋ ଫୁଡସର ମାନେଜିଙ୍ଗ୍‌ ଡିରେକ୍ଟର ବି.ଭି.କ୍ରିଷ୍ଣା ରାଓଙ୍କ କହିବା ମୁତାବକ ଦକ୍ଷିଣ ଭାଗରେ ଚାଉଲ ଲୋଡ୍‌ କରିବା ଆରମ୍ଭ ହୋଇଗଲାଣି । ତେବେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଛି ଏବଂ ପରେ ମାଲବାହୀ ଜାହାଜ ମାଧ୍ୟମରେ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।

ସମଗ୍ର ବିଶ୍ୱରେ ଚାଉଳ ଉତ୍ପାଦନରେ ଭାରତର ସ୍ଥାନ ଦ୍ୱିତୀୟ  ଏବଂ ସର୍ବାଧିକ ଚାଉଳ ରପ୍ତାନୀ କରୁଥିବା ଦେଶ । ତେବେ କେବଳ ଚାଉଳ ନୁହେଁ ବରଂ ଇନ୍ଧନ ଏବଂ ଔଷଧ ପଠାଇବାକୁ ମଧ୍ୟ ଭାରତ ନିଷ୍ପତ୍ତି ନେଇଛି । ଏହା ହୁଏତ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଭଳି ବିରାଟ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହେବ ।

ଗତ ମାସରେ ଦୁଇ ଦେଶ ସ୍ୱାକ୍ଷର କରିଥିବା ୧ ବିଲିୟନ୍‌ ଡଲାର୍‌ ଋଣ ଚୁକ୍ତି ପରଠାରୁ ଏହା ହେଉଛି ଶ୍ରୀଲଙ୍କା ପାଇଁ ଭାରତର ପ୍ରଥମ ପ୍ରମୁଖ ଖାଦ୍ୟ ସହାୟତା। ଶ୍ରୀଲଙ୍କାରେ ପ୍ରାୟ ବର୍ଷକ ମଧ୍ୟରେ ୨ ଗୁଣା ହୋଇଯାଇଥିବା ଚାଉଳ ମୂଲ୍ୟ ହ୍ରାସ କରାଇବାରେ ଭାରତର ଚାଉଳ ସେଠାକାର ସରକାରଙ୍କୁ ସାହାଯ୍ୟ କରିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖା ଦେଇଥିଲେ ମଧ୍ୟ ଭାରତ ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com