ଜାତୀୟରାଜନୀତି

ବିଧାନସଭା ନିର୍ବାଚନ ଲଢିବେନି ତ୍ରିବେନ୍ଦ୍ର ସିଂହ ରାୱତ, ବିଜେପି ଜାତୀୟ ସଭାପତିଙ୍କୁ ଚିଠିଲେଖି ଜଣାଇଲେ ଇଛା

ଡେରାଡୁନ() ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ତ୍ରିବେନ୍ଦ୍ର ସିଂହ ରାୱତ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେନି। ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଲେଖିଥିବା ଏକ ଚିଠିରେ ସେ ଏହା ଜଣାଇ ଦେଇଛନ୍ତି। ରାଜ୍ୟର ନେତୃତ୍ୱ ଏବେ ଯୁବକଙ୍କ ହାତରେ, ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ନିର୍ବାଚନ ଲଢ଼ିବାକୁ ମୁଁ ଉଚିତ ମନେ କରୁନଥିବା ଉଲ୍ଲେଖ କରିଛନ୍ତି।

 

ଆଗାମୀ ମାସରେ ୫ ରାଜ୍ୟର ବିଧାନସଭା ନିର୍ବାଚନ। ଏଥିରେ ଉତ୍ତରାଖଣ୍ଡ ବିଧାନସଭା ଲାଗି ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ତେବେ ତ୍ରିବେନ୍ଦ୍ର ସିଂହ ରାୱତ ନିର୍ବାଚନରୁ ଓହରିଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ନିର୍ବାଚନ ନ ଲଢିଲେବି ରାଜ୍ୟ ଦଳରେ କାର୍ଯ୍ୟକର୍ତ୍ତା ଦାୟିତ୍ୱ ତୁଲେଇବେ ବୋଲି ନଡ୍ଡାଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଭାବନା ସମ୍ପର୍କରେ ପୂର୍ବରୁ ମଧ୍ୟ ପତ୍ର ଲେଖି ଜଣାଇଥିବା କହିଛନ୍ତି। ରାଜ୍ୟରେ ପୁଣି ପୁଷ୍କର ସିଂହ ଧାମୀଙ୍କ ନେତୃତ୍ୱରେ ସରକାର ହେଉ ସେଥିଲାଗି ସେ ପୁରା ସମୟ ଦେବାକୁ ଚାହୁଁଥିବା ରାୱତ ପତ୍ରରେ ସୂଚିତ କରିଛନ୍ତି।

 ଏଣୁ ତାଙ୍କର ନିର୍ବାଚନ ନ ଲଢିବାର ନିଷ୍ପତ୍ତିକୁ ଦଳ ସ୍ୱୀକାର କରୁ, ଯାହା ଦ୍ୱାରା ରାଜ୍ୟରେ ଦଳକୁ ପୁଣି ସରକାରକୁ ଫେରାଇବାରେ ସେ ତାଙ୍କର ପୂର୍ଣ୍ଣ ସମୟ ଉପଯୋଗ ହୋଇପାରୁ ବୋଲି ସେ ଜାତୀୟ ସଭାପତିଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୪୬ ବର୍ଷ ବୟଷ୍କ ପୁଷ୍କର ସିଂହ ଧାମୀ ପାର୍ଟି ଲାଗି କେବଳ ଜଣେ ଯୁବ ନେତୃତ୍ୱ ନୁହନ୍ତି ବରଂ ରାଜ୍ୟ ରାଜନୀତିକୁ ମଧ୍ୟ ବେଶ ବୁଝନ୍ତି। ୭୦ ସଦସୀୟ ଉତ୍ତରାଖଣ୍ଡ ବିଧାନସଭା ଲାଗି ଫେବୃଆରୀ ୧୪ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା ହେବାକୁ ଥିବା ବେଳେ ଶାସକ ବିଜେପି ଏଥର ନିର୍ବାଚନ ଧାମୀଙ୍କ ଚେହେରାରେ ଲଢିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବା ବେଳେ ଏଥର ନିର୍ବାଚନର ଦାୟିତ୍ୱ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହରିଶ ରାୱତଙ୍କ ଉପରେ କଂଗ୍ରେସ ନ୍ୟସ୍ତ କରିଛି। ରାଜ୍ୟରେ ଆମଆଦମୀ ପାର୍ଟି ପ୍ରଥମ ଥର ଖାତା ଖୋଲିବାକୁ ଅଣ୍ଟାଭିଡିଥିବା ବେଳେ ଅଜୟ କୋଠିଆଲଙ୍କ ନେତୃତ୍ୱରେ ଦଳ ଏଠାରେ ନିର୍ବାଚନ ଲଢୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com