ଓଡ଼ିଶା

ବିଦାହେଲେ ଆଉ ୫ ଅଧିକାରୀ : ଓଏଏସ୍ ଅଫିସର, ପୋଲିସ ଡିଏସ୍‌ପି ଓ ଇନ୍ସପେକ୍ଟର ସାମିଲ

ଭୁବନେଶ୍ବର() ଅପାରଗ ତଥା ଦୁର୍ନୀତିଗ୍ରସ୍ତ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ ମଧ୍ୟରେ ପୋଲିସ ଡିଏସପି,  ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର  ପ୍ରମୁଖ ଅନ୍ତର୍ଭୁକ୍ତ ।

ବାଧ୍ୟତାମୂଳକ ଅବସର ପାଇଥିବା ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ  (IUCAW) ଡିଏସପି ଭାବରେ ନିଯୁକ୍ତ  ଓଡିଶା ପୋଲିସ ସେବା ଅଧିକାରୀ ରବୀନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି ।

ସେହିପରି ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ।

ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୋଲିସ ଇନ୍‌ସପେକ୍ଟର  ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି ।  ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍‌ କାର୍‌ରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍‌ ନିକଟରେ  ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍‌  ଦ୍ବାରା ଧରା ପଡିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା। ବଙ୍ଗମୁଣ୍ଡା ସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା । ସମୁଦାୟ ତାଙ୍କ ଠାରୁ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଆଦି ବିଭିନ୍ନ  କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com