ଜାତୀୟରାଜନୀତି

କଂଗ୍ରେସ ମିଡିଆ ପ୍ରଭାରୀ ପଦରୁ ହଟିଲେ ରଣଦୀପ ସୂରଜେୱାଲା, ଜାଣନ୍ତୁ କିଏ ସମ୍ଭାଳିଲେ କମ୍ୟୁନିକେସନ, ପବ୍ଲିସିଟି ଓ ମିଡିଆ ଦାୟିତ୍ୱ

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ଚିନ୍ତନ ଶିବିର ପରେ କଂଗ୍ରେସରେ ପ୍ରଥମ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି କ୍ରମରେ କଂଗ୍ରେସ ମିଡିଆ ପ୍ରଭାରୀ ଦାୟିତ୍ୱରୁ ରଣଦୀପ ସୂରଜେୱାଲାଙ୍କୁ ମୁକ୍ତ କରିଦିଆଯାଇଛି। ତେବେ ସୂରଜେୱାଲା କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ଅଛନ୍ତି। ପାର୍ଟି ପକ୍ଷରୁ ଜୟରାମ ରମେଶଙ୍କୁ ପ୍ରଭାରୀ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିବା ବେଳେ କମ୍ୟୁନିକେସନ, ପବ୍ଲିସିଟି ଓ ମିଡିଆ (ସୋସିଆଲ ଓ ଡିଜିଟାଲ ମିଡିଆ ସହିତ) ପ୍ରଭାର ମଧ୍ୟ ରହିବେ।

ଏ ବାବଦେ କଂଗ୍ରେସ ସଙ୍ଗଠନ ପ୍ରଭାରୀ ଓ ପାର୍ଟି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲଙ୍କ ପକ୍ଷରୁ ଜାରି ପତ୍ରରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ପତ୍ର ଅନୁସାରେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ତତ୍କାଳ ପ୍ରଭାବରେ ଜୟରାମ ରମେଶଙ୍କୁ ମିଡିଆ ପ୍ରଭାର ନିଯୁକ୍ତ କରିଛନ୍ତି। ତେବେ ସୂରଜେୱାଲାଙ୍କ ଠାରୁ ମିଡିଆ ପ୍ରଭାର ଦାୟିତ୍ୱ କାଢିନେବାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଅପରପକ୍ଷେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତ୍ତି ଏପରି ଏକ ସମୟରେ  ନିଆଯାଇଛି ଯେତେବେଳେ ରାହୁଲ ଗାନ୍ଧି ନ୍ୟାସନାଲ ହେରଲଡ ମାମଲାରେ ଇଡି ପଚରା ଉଚରାରେ ଫଶିଛନ୍ତି।

୩ ଦିନ ହେଲା ରାହୁଲ ଗାନ୍ଧି ଇଡିଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ରାସ୍ତାଘାଟରେ କଂଗ୍ରେସ ନେତା ଓ କର୍ମୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରେ ସୂରଜେୱାଲା ମଧ୍ୟ ଲଗାତାର ଗଣମାଧ୍ୟମରେ ବୟାନ ଦେଇ ପାର୍ଟି ସପକ୍ଷରେ ପରିବେଶ ସୃଷ୍ଟିରେ ଲାଗିପଡିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ସୂରଜେୱାଲାଙ୍କୁ ମିଡିଆ ପ୍ରଭାରୀ ପଦରୁ ହଟା ଯାଇଛି। ତେବେ ପାର୍ଟିର ଏହି ନିଷ୍ପତ୍ତିରେ ସୂରଜେୱାଲା ଜୟରାମ ରମେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ନୂଆ ଦାୟିତ୍ୱ ଲାଗି ଜୟରାମ ରମେଶଙ୍କୁ ମୋର ଶୁଭକାମନା । ଏ କ୍ଷେତ୍ରରେ ସେ ରମେଶଙ୍କୁ ନିରନ୍ତର ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com