ବାଲିପାଟଣା: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦୁଇ ତିନିଦିନ ତଳେ ସକାଳ ସମୟରେ ଜଣଙ୍କୁ ହାଣିବା ଘଟଣାରେ ପୋଲିସ ହାତ ଖାଲିଥିବା ବେଳେ ବାଲିପାଟଣା ଥାନା ଅନ୍ତର୍ଗତ ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଜନସାଧାରଣ ।

ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତ୍ୟୁ ବରଣ କରିଥିବା ଯୁବକ ହେଲେ ଶିଶିଲୋ ଗ୍ରାମର ଆଶିଷ ଓଝା (୨୧ )ବର୍ଷ । ଖବର ପାଇ ଘଟଣାସ୍ଥଳରେ ବାଲିପାଟଣା ଓ ବାଲିଅନ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ ଆସନ୍ତାକାଲି ଶିଶିଲୋ ଗ୍ରାମର ପ୍ରମୋଦ ଓଝାଙ୍କ ଝିଅ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା। ଭଉଣୀ ବାହାଘର ପାଇଁ ଆଶିଷ ବରଧରା ଯାଇଥାନ୍ତେ । କିନ୍ତୁ ବୁଧବାର ଦିନ ରାତି ପ୍ରାୟ ସାଢେ ୯ଟା ବେଳେ କେହି ଦୁର୍ବୃତ୍ତ ଆଶିଷଙ୍କୁ କଲ କରି ଡାକିଥିଲେ। ହେଲେ ଆଶିଷ ଘରେ କାହାରୀକୁ କିଛି ନ ଜଣେଇ ଘରୁ ସାଇକେଲ ନେଇ ବାହାରି ଆସିଥିଲେ। ହେଲେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେତେଣେ ବହୁ ଖୋଜାଖୋଜି କରି ପାଇନଥିଲେ ।
ସକାଳୁ ଧନୁଆ ନଦୀ ବନ୍ଧ ନିକଟ ଧାନ ବିଲରେ ଯୁବକଙ୍କ ମୃତଦେହ ପଡିଥିବା ଖବର ପ୍ରଚାର ହେବା ପରେ ଏହା ଆଶିଷଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ସାଇଣ୍ଟିଫିକ ଟିମ ତଦନ୍ତ ବେଳେ ଜଣାପଡିଛି। ମୃତ ଶରୀର ପଡିଥିବା ନିକଟରେ ଆଶିଷଙ୍କ ସାଇକେଲ ଟି ପଡି ରହିଛି । ଏହି ଖବରଟି ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଧିବଦ୍ଧ ଭାବେ ଯୋଜନା କରି ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି।
Back to top button