ଜାତୀୟ

ଏୟାର ଇଣ୍ଡିଆକୁ ଝଟକା: ସିଇଓ ପଦ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଇଲକର ଆୟସି

ନୂଆଦିଲ୍ଲୀ() ଦୀର୍ଘ ୬୯ ବର୍ଷ ପରେ ଟାଟା ସନ୍ସ ହାତକୁ ଆସିଛି ଏୟାର ଇଣ୍ଡିଆ। ଏହା ପରେ ଏୟାର ଇଣ୍ଡିଆରେ ଯେଉଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି, ସେଥିରେ ମଙ୍ଗଳବାର ଟାଟାକୁ ଲାଗିଛି ବଡ ଝଟକା। ଟାଟା ପକ୍ଷରୁ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଇଲକର ଆୟସିଙ୍କୁ ଏୟାର ଇଣ୍ଡିଆର ସିଇଓ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିଲା। ତେବେ ଆୟସି ଏୟାର ଇଣ୍ଡିଆର ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ(ସିଇଓ) ପଦ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ରିପୋର୍ଟରେ ଏହି ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ। ମାତ୍ର ଏହା କୁହାଯାଉଛି ଯେ ଆୟସି ଏୟାର ଇଣ୍ଡିଆର ସିଇଓ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ପଦ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଗତ ଫେବୃଆରୀ ୧୪ରେ ଟାଟା ସନ୍ସ ଏୟାର ଇଣ୍ଡିଆର ସିଇଓ ଭାବେ ଇଲକର ଆୟସିଙ୍କ ନିଯୁକ୍ତି ଘୋଷଣା କରିଥିଲା। ଏହି ନିଷ୍ପତ୍ତି ପରେ ଆରଏସଏସ ସହ ଜଡିତ ସ୍ଵଦେଶୀ ଜାଗରଣ ମଞ୍ଚ ସରକାରଙ୍କୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଲକର ଆୟସିଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେବା ଉଚିତ୍ ନୁହେଁ ବୋଲି କହିଥିଲା।

ନିଯୁକ୍ତି ପରଠୁ ଇଲକର ଆୟସିଙ୍କ ଉପରେ ଯାଞ୍ଚର ଖଣ୍ଡା ଖୁଲୁଥିଲା। ପରମ୍ପରା ଅନୁଯାୟୀ, ଭାରତରେ ଗୁରୁତ୍ଵପୂର୍ଣ୍ଣ ପଦରେ ନିଯୁକ୍ତ ହେଉଥିବା ସମସ୍ତ ବିଦେଶୀ ନାଗରିକଙ୍କ ପୃଷ୍ଠଭୂମିର ଯାଞ୍ଚ କରାଯାଏ। ଆୟସିଙ୍କ କ୍ଷେତ୍ରରେ ମଧ୍ୟ ଏମିତି ହେବାର ଥିଲା। ଆୟସି ତୁର୍କୀର ରାଷ୍ଟ୍ରପତି ତଇପ ଏର୍ଦୋଗାନଙ୍କ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି। ଏର୍ଦୋଗାନ ପାକିସ୍ତାନର ସହଯୋଗୀ ଭାବେ ପରିଚିତ। ତେଣୁ ଆୟସିଙ୍କ ପୃଷ୍ଠଭୂମିର ଯାଞ୍ଚ ପାଇଁ ଆବଶ୍ୟକ ପଡିଲେ ସରକାର RAWର ସହାୟତା ନେଇ ପାରନ୍ତି ବୋଲି କୁହାଯାଉଥିଲା। ବୋଧହୁଏ ଏହି କାରଣରୁ ଇଲକର ଆୟସି ଟାଟା ସନ୍ସର ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଥିବା କୁହାଯାଉଛି।

ଆୟସି ୧୯୭୧ରେ ଇସ୍ତାନବୁଲରେ ଜନ୍ମଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ଆୟସି ତୁର୍କୀର ବୁଲକେଣ୍ଟ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନ ବା ସାଧାରଣ ପ୍ରଶାସନ ବିଭାଗର ୧୯୯୪ ବ୍ୟାଚ୍‌ର ପୂର୍ବତନ ଛାତ୍ର। ୧୯୯୫ରେ ସେ ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ଏକ ଗବେଷଣା କରିଥିଲେ। ୧୯୯୭ରେ ସେ ଇସ୍ତାନବୁଲର ମରମାରା ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ ମାଷ୍ଟର ପ୍ରୋଗ୍ରାମ ପୂରା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com