କ୍ରୀଡ଼ା

ଆଣ୍ଟିଗୁଆ ଟେ‌ଷ୍ଟ୍‌କୁ ୭ ୱିକେଟ୍‌ରେ ଜିତିଲା ୱେଷ୍ଟଇଣ୍ଡିଜ୍‌

ଆଣ୍ଟିଗୁଆ: ନର୍ଥସାଉଣ୍ଡ୍ ସ୍ଥିତ ସାର୍‌ ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌କୁ ଘରୋଇ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍‌ରେ ଜିତିନେଇଛି। ଏହି ମ୍ୟାଚ୍‌ ଚତୁର୍ଥ ଦିବସର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଶେଷ ହୋଇଛି। ଘରୋଇ ଦଳ ସମ୍ମୁଖରେ ୮୪ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ବେଳେ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୩ ୱିକେଟ୍‌ ବିନିମୟରେ ୪୯ ରନ୍‌ କରି ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲା। ରବିବାର ଚତୁର୍ଥ ଦିବସରେ ଆଉ ମାତ୍ର ୭ ଓଭର ଖେଳି ୱେଷ୍ଟ୍‌ଇଣ୍ଡିଜ୍‌ ୩୯ ରନ୍ ଯୋଡ଼ିଥିଲା। ଖଲିଦ ଅହମ୍ମଦଙ୍କ ଚମତ୍କାର ବୋଲିଂ ଯୋଗୁଁ ଏକ ସମୟରେ ୯ ରନ୍‌ରେ ୩ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ଓପ୍‌ନର ଜନ୍‌ କାମ୍ପବେଲ୍‌ (୫୮*) ଏବଂ ଜର୍ମିନ୍‌ ବ୍ଲାକ୍‌ଉଡ୍‌ (୨୬*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୭୯ ରନ୍ ଯୋଡ଼ିବାରୁ ଦଳ ୨୨ ଓଭରରେ ୮୮/୩ କରିନେଇଥିଲା। ସାଣ୍ଟୋଙ୍କ ଛକା ମାରି କାମ୍ପବେଲ୍‌ ଦଳର ବିଜୟ ମୁଣ୍ଡି ମାରିଥିଲେ। ପ୍ରଥମ ପାଳିରେ ୨ ଏବଂ ଦ୍ବିତୀୟ ପାଳିରେ ୫ ୱିକେଟ୍‌ ଅକ୍ତିଆର କରିଥିବା ଦ୍ରୁତ ବୋଲର କେମାର ରୋଚ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ର ଅଗ୍ରଣୀ ପାଇଛି। ବାଂଲାଦେଶ ପ୍ରଥମ ପାଳିରେ ୧୦୩ ଏବଂ ଦ୍ବିତୀୟ ପାଳିରେ ୨୪୫ ରନ୍‌ କରିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳିରେ ୨୬୫ ରନ୍‌ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com