ଓଡ଼ିଶା

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ୧୯ରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଏ ସରକାର ମୋତେ ନ୍ୟାୟ ଦେବନି। ମୋ ଝିଅକୁ ନ୍ୟାୟ ମିଳିବନି। ତେଣୁ ଆସନ୍ତା ୧୯ ତାରିଖ ଓଡ଼ିଶା ବନ୍ଦରେ ସାମିଲ ହୁଅନ୍ତୁ। ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏଭଳି ଆହ୍ୱାନ ଦେଇଛନ୍ତି ତାଙ୍କ ମା’। ନବ ନିର୍ମାଣ ଛାତ୍ର ସଂଗଠନ ଓ ନବ ନିର୍ମାଣ କୃଷକ ସଂଗଠନ ଏହି ଓଡ଼ିଶା ବନ୍ଦ ଆନ୍ଦୋଳନ କରିବ।

ଆଜି ସେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଚଳାଇଥିବା ଅନଶନ ଭାଙ୍ଗିଥିଲେ। ନବ ନିର୍ମାଣ ଛାତ୍ର ସଂଗଠନ ଓ ନବ ନିର୍ମାଣ କୃଷ୍ଣ ସଂଗଠନ ପ୍ରତିଷ୍ଠାତା ତଥା ଚାଷୀ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ସେ ଅନଶନ ଭାଙ୍ଗିଥିଲେ। ନବ ନିର୍ମାଣ ଛାତ୍ର ସଂଗଠନ ଓ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଗକୁ ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ନିମନ୍ତେ ଅନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ଅକ୍ଷୟ କହିଛନ୍ତି, ଏହି ଚାଞ୍ଚଲ୍ୟକର ଘଟଣାର ୧୧ ଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଖୋଜି ପାଇଲାନି। । ଚାଷୀର ପୁଅ ଝିଅ ଉପରେ ଏହି ବିପଦ ପଡ଼ିଥିବାରୁ ସଂଗଠନ ଆନ୍ଦାଳନକୁ ଓହ୍ଲାଇଛି। ଯେହେତୁ ହଷ୍ଟେଲରେ ରହିବା ବେଳେ ହିଁ ରୁଚିକା ଆତ୍ମହତ୍ୟା କରିଛନ୍ତି, ଏଥିନିମନ୍ତେ ହଷ୍ଟେଲର ୱାଡେନ ଓ ସୁପରିଣ୍ଟେଣ୍ଡେଣ୍ଟ ପ୍ରଥମେ ଦାୟୀ। ସେମାନେ ପ୍ରଥମେ ଇସ୍ତଫା ଦିଅନ୍ତୁ। ନଚେତ ସରକାର ତାଙ୍କୁ କାର୍ଯ୍ୟରୁ ନିବୃତ୍ତ କରନ୍ତୁ। ସୁଇସାଇଡ୍ ନୋଟ୍‌ରେ ୩ ଜଣ ସିନିୟରଙ୍କୁ ଦାୟୀ କରାଯାଇଥିବାରୁ ସେମାନଙ୍କୁ ତଦନ୍ତକାରୀ ଟିମ୍ ଖୋଜି ବାହାର କରିବା କଥା। ହେଲେ ତଦନ୍ତରେ ଜାଣିଶୁଣି ବିଳମ୍ବ କରାଯାଉଛି। ସରକାର ଉଦାସୀନ ହୋଇଛନ୍ତି। ତେଣୁ ଏହାକୁ ବିରୋଧ କରି ସଂଗଠନ ଓଡ଼ିଶା ବନ୍ଦ ଅନ୍ଦୋଳନକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

ରୁଚିକାକୁ ନ୍ୟାୟ ପ୍ରଦାନ ଦାବିରେ ୧୯ରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନରେ ସମସ୍ତଙ୍କୁ ସାମିଲ କରିବାକୁ ସ୍ୱତନ୍ତ୍ର ଅଭିଯାନ କରାଯିବ। ୧୪, ୧୫ରେ ଭୁବନେଶ୍ୱରରେ, ୧୬ରେ କଟକରେ ସଂଗଠନ କର୍ମକର୍ତ୍ତା ବିଭିନ୍ନ କଲେଜରେ ଜନଜାଗରଣ କରି ଛାତ୍ରଛାତ୍ରୀଙ୍କୁ ଅନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ କରିବ। ୧୭ରେ ପୁଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ୧୮ ତାରିଖରେ ବିଭିନ୍ନ ସ୍ଥାନରେ ଏନେଇ କାମ୍ପେନିଂ କରାଯିବ। ୧୯ ତାରିଖରେ ଓଡ଼ିଶା ବନ୍ଦ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com