ଜାତୀୟ

ଶେଷ ନିଃଶ୍ଵାସ ଥିବା ଯାଏଁ ‘ଘରର କଂଗ୍ରେସ’ ବିରୋଧରେ ଲଢେଇ କରିବି, ଗାନ୍ଧୀ ପରିବାର ଉପରେ ସିବଲଙ୍କ ବଡ ହମଲା

ନୂଆଦିଲ୍ଲୀ() ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ  ହାରିବା ପରେ କଂଗ୍ରେସରେ ଉଠିଛି ବିରୋଧର ସ୍ଵର। କିଛି ନେତା ଗାନ୍ଧୀ ପରିବାର ହାତରେ କଂଗ୍ରେସର ନେତୃତ୍ଵ ରହିବା ଉଚିତ୍ ବୋଲି କହୁଥିବା ବେଳେ ଆଉ କିଛି ନେତା ଖୋଲାଖୋଲି ଗାନ୍ଧୀ ପରିବାରକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଗାନ୍ଧୀ ପରିବାର ହାତରେ ନେତୃତ୍ଵ ଦାୟିତ୍ଵ ରହିବା ଦଳ ପାଇଁ ଘାତକ। ଏହା ମଧ୍ୟରେ କଂଗ୍ରେସ ପାର୍ଟି ବିରୋଧରେ ବିସ୍ଫୋରଣ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ। ସେ କହିଛନ୍ତି, ଶେଷ ନିଃଶ୍ଵାସ ଥିବା ଯାଏଁ ‘ଘରର କଂଗ୍ରେସ’ ବିରୋଧରେ ଲଢେଇ ଜାରି ରଖିବେ। ସେ ‘ଘରର କଂଗ୍ରେସ’ ବଦଳରେ ‘ସମସ୍ତଙ୍କ କଂଗ୍ରେସ’ ଚାହୁଁଛନ୍ତି। ସିବଲ ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ବୟାନ ଦେଇଛନ୍ତି।

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ କେମିତି ଡ୍ୟାମେଜ୍ କଣ୍ଟ୍ରୋଲ କରିବ ସେଥିପାଇଁ ସକ୍ରିୟ ହୋଇ ଉଠିଛି। ପଞ୍ଜାବ ସହିତ ସମସ୍ତ ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ବସିଥିଲା। ବୈଠକରେ ପାଞ୍ଚ ଘଣ୍ଟା ଧରି ପରାଜୟର ମାନସ ମନ୍ଥନ କରାଯାଇଛି। ବୈଠକ ପରେ ଗୋଟିଏ କଥା ଖୁବ୍ ଚର୍ଚ୍ଚାରେ ରହି ଆସିଛି ଯେ, ସୋନିଆ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବେ ବୋଲି କମିଟିରେ କହିଥିଲେ। ଅନ୍ୟପଟେ ପାର୍ଟିର ବରିଷ୍ଠ ନେତା କପିଲ୍ ସିବଲ କହିଛନ୍ତି, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ନହୋଇ ବି ସେ ସମସ୍ତ ନିର୍ଣ୍ଣୟ ନେଉଛନ୍ତି।

ସିବଲ କହିଛନ୍ତି, ‘ଘରର କଂଗ୍ରେସ’ ବଦଳରେ ‘ସମସ୍ତଙ୍କ କଂଗ୍ରେସ’ ଚାହୁଁଛନ୍ତି। ମୁଁ ନିଜ ଶେଷ ନିଃଶ୍ଵାସ ଥିବ ଯାଏଁ ‘ସମସ୍ତଙ୍କ କଂଗ୍ରେସ’ ପାଇଁ ଲଢିବି। ଏହି ‘ସମସ୍ତଙ୍କ କଂଗ୍ରେସ’ର ଅର୍ଥ ଭାରତରେ ସେହି ସମସ୍ତ ଲୋକଙ୍କୁ ଏକାଠି ଆଣିବା ଯେଉଁମାନେ ବିଜେପିକୁ ଯିବାକୁ ଚାହୁଁ ନାହାନ୍ତି। କିଛି ଲୋକ ନିଜର ବିଚାର ବ୍ୟକ୍ତ କରିଛନ୍ତି ଯେ, ଗାନ୍ଧୀ ପରିବାର ବିନା କଂଗ୍ରେସ ତିଷ୍ଠି ପାରିବ ନାହିଁ।

ଦ ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ବେଳେ କପିଲ୍ ସିବଲ କହିଛନ୍ତି,  ଗାନ୍ଧୀ ପରିବାର ନେତୃତ୍ଵ ପଦରୁ ହଟି ଅନ୍ୟଙ୍କୁ କଂଗ୍ରେସର ଅଧ୍ୟକ୍ଷ ହେବାକୁ ସୁଯୋଗ ଦେବା ଉଚିତ୍। ଗାନ୍ଧୀ ପରିବାର ସ୍ଵେଚ୍ଛାକୃତ ଭାବେ ଏଥିରୁ ଦୂରେଇ ଯିବା ଉଚିତ୍। କାରଣ ତାଙ୍କ ଦ୍ଵାରା ଗଠିତ କମିଟି କେବେ ବି ଗାନ୍ଧୀ ପରିବାରକୁ କହିବେ ନାହିଁ ଯେ, ତୁମେ ନିଜର ପଦ ଛାଡି ଚାଲି ଯାଅ। ତେଣୁ ଗାନ୍ଧୀ ପରିବାର ନିଜ ଆଡୁ ନେତୃତ୍ଵ ଦାୟିତ୍ଵ ଛାଡି ଦିଅନ୍ତୁ ବୋଲି କପିଲ୍ ସିବଲ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com