କ୍ରୀଡ଼ା

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଷ୍ଟାର ଅଲରାଉଣ୍ଡର ପାକିସ୍ତାନରେ ଆହତ, IPL ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଦଳ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପରବର୍ତ୍ତୀ ମୁକାବିଲାରେ ଦିଲ୍ଲୀ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେବେ ଏହା ପୂର୍ବରୁ ଦଳକୁ ବଡ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହୋଇଛନ୍ତି। ଫଳରେ ତାଙ୍କର ଆଇପିଏଲ ଖେଳିବା ନେଇ ସନ୍ଦେହ ଉପୁଜିଛି।
ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍ଶ ସଂପ୍ରତି ପାକିସ୍ତାନ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ଓ ଘରୋଇ ପାକିସ୍ତାନ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଉକ୍ତ ସିରିଜ୍ ପାଇଁ ମାର୍ଶଙ୍କୁ ଦଳରେ ଚୟନ କରାଯାଇଥିଲା। ତେବେ ସିରିଜ୍ ପୂର୍ବରୁ ସେ ଆହତ ହୋଇଛନ୍ତି ଆଉ ଦଳରୁ ବାଦ୍ ପଡିଛନ୍ତି। ଏବେ ତାଙ୍କର ଆଇପିଏଲ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି।
ମାର୍ଶଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ନିଲାମରେ ୬.୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ପାକିସ୍ତାନ ବିପକ୍ଷ ସିରିଜ୍ ପରେ ତାଙ୍କର ଦିଲ୍ଲୀ ଦଳରେ ଯୋଗ ଦେବା ନେଇ ସ୍ଥିର ହୋଇଥିଲା। ୩୦ ବର୍ଷୀୟ ମାର୍ଶ ସଂପ୍ରତି ଟପ୍ ଅଲରାଉଣ୍ଡରଙ୍କ ମଧ୍ୟରେ ସାମିଲ୍। ସେ ଗତ ବର୍ଷ ଅଷ୍ଟ୍ରେଲିଆର ଟି-୨୦ ବିଶ୍ଵ କପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com