ଓଡ଼ିଶା

ସୀମାନ୍ତରେ ଓଡ଼ିଶା ଦିବସ ପାଇଁ ଜୋରଦାର ପ୍ରସ୍ତୁତି, ସାମିଲ ହେବେ ପ୍ରବାସୀ ଓଡିଆ

ଝାରସୁଗୁଡ଼ା : ଆସନ୍ତାକାଲି ଓଡ଼ିଶା ଦିବସ। ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ସୀମାନ୍ତରେ ଓଡ଼ିଶା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ଓଡିଆ ଭାଷା ସୁରକ୍ଷା ମଞ୍ଚ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ସୀମାନ୍ତରେ ଓଡ଼ିଶା ଦିବସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲଖନପୁର ବ୍ଲକର ଭିକମପାଲି ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ହେବାକୁ ଥିବା ଏହି ସମାରୋହରେ ଓଡ଼ିଶାର ସୀମାନ୍ତ ଏବଂ ପଡ଼ୋଶୀ ଛତିଶଗଡ଼ର ଓଡ଼ିଆ ଲୋକେ ବହୁ ସଂଖ୍ୟାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଛତିଶଗଡ଼ ଏବଂ ସୀମାନ୍ତରେ ଓଡ଼ିଆ ଭାଷା ଏବଂ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ‘ଓଡ଼ିଆ ଭାଷା ସେନାନୀ ସମ୍ମାନ-2022′ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବ। ଏହା ସାଙ୍ଗକୁ ‘ସୀମାନ୍ତରେ ଓଡ଼ିଆ ଭାଷାର ସ୍ଥିତି ଓ ଭବିଷ୍ୟତ’ ଶୀର୍ଷକ ବିଷୟ ବସ୍ତୁ ଉପରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ କଲେଜ ସ୍ତରରେ ଜୁନିୟର ଓ ସିନିୟର ଏବଂ ହାଇସ୍କୁଲ ସ୍ତରରେ ଜୁନିୟର ଓ ସିନିୟର ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଆଲୋଚନା ଚକ୍ର ‘ସୀମାନ୍ତରେ ଓଡ଼ିଆ ଭାଷାର ସ୍ଥିତି ଏବଂ ଭବିଷ୍ୟତ’ ଆୟୋଜନ କରାଯିବ। ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗ ଦେବାକୁ ଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରତାପ ରାଉତ, ସମ୍ମାନିତ ଅତିଥି ଭାବେ ଏସପି ବିକାଶ ଦାଶ, ପିଡି ଡିଆରଡିଏ ତପୀରାମ ମାଝୀ, ବନଖଣ୍ଡ ଅଧିକାରୀ ଲଳିତ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ପ୍ରମୁଖ ଯୋଗ ଦେବେ। ମହିମା ସାଂସ୍କୃତିକ ସଂଘ ପଞ୍ଚଗାଁ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଗତକାଲି ଭିକମପାଲି ଉଚ୍ଚ ବିଦ୍ୟାଳୟ ଠାରେ ହାଇସ୍କୁଲ ଏବଂ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯେଉଥିରେ ଭିକମପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଅଧିନରେ ଥିବା ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com