ଜାତୀୟ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାକର ସୈଲଙ୍କ ମୃତ୍ୟୁ

ମୁମ୍ବାଇ() ମୁମ୍ବାଇର ବହୁ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସୈଲଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ଓକିଲ ତୁଷାର ଖଣ୍ଡେରଙ୍କ ସୂଚନା ଅନୁଯାୟୀ, ପ୍ରଭାକରଙ୍କ ଚେମ୍ବୁର ସ୍ଥିତ ମାହୁଲ ଅଞ୍ଚଳରେ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଛି।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ତତ୍କାଳୀନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ପ୍ରଭାକର ସୈଲ ଅଭିଯୋଗ କରିଥିଲେ । ଯାହା ପରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାର ଅନୁସନ୍ଧାନ କରୁଥିବା ଏନସିବିର ଭିଜିଲାନ୍ସ ଦଳ ମଧ୍ୟ ପଚରାଉଚରା ପାଇଁ ପ୍ରଭାକରଙ୍କୁ ଡକାଥିଲେ।

କ୍ରୁଜ୍ ପାର୍ଟି ରେଡ୍ ବେଳେ ସେ ଏନସିବିର ଅନ୍ୟତମ ସାକ୍ଷୀ ଗୋସାଭିଙ୍କ ସହ ଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ପ୍ରଭାକର ପ୍ରକାଶ କରିଥିଲେ ଯେ କେ.ପି ଗୋସାଭି ସାମ ନାମକ ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥା ହୋଇ ଡ୍ରଗ୍ସ ମାମଲା ରଫାଦଫା କରିବା ପାଇଁ ୨୫ କୋଟି ଟଙ୍କାରୁ ଆରମ୍ଭ କରି ୧୮ କୋଟିରେ ଡିଲ୍ କରିଥିଲେ । କେସି ଗୋସାଭି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଲାଞ୍ଚ ଦେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏହି ହାଇ ପ୍ରୋଫାଇଲ୍ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ସମୀର ୱାଙ୍ଖେଡେ ୨ ଅକ୍ଟୋବର ୨୦୨୧ ରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କର୍ଡେଲିଆ ନାମକ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ପାଇ ରେଡ୍ କରିଥିଲେ। ସେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଆର୍ୟନ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲେ। ତେବେ ଆର୍ୟନଙ୍କ ଠାରୁ କୌଣସି ଡ୍ରଗ୍ସ ମିଳିନଥିଲା। ଏହି ମାମଲାରେ ସମୀର ୱାଙ୍ଖେଡେଙ୍କ ଭାବମୂର୍ତ୍ତିକୁ ଶକ୍ତ ଧକ୍କା ଲାଗିଥିଲା | ତାଙ୍କ ବିରୋଧରେ କୋଟି କୋଟି ଟଙ୍କା ବଟି ଆଦାୟ ଅଭିଯୋଗ ହୋଇଥିଲା। ପରେ ଏନସିବିରୁ ମଧ୍ୟ ତାଙ୍କୁ ବିଦା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com