ଓଡ଼ିଶା

ଚଳିତ ମାସ ଶେଷ ସୁଦ୍ଧା ବାଲେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏମ୍‌ସ ସାଟେଲାଇଟ୍‌ ହସ୍ପିଟାଲ୍‌

ବାଲେଶ୍ୱର() ଦୀର୍ଘ ଦିନ ଦାବି ପୂରଣ ହେବାକୁ ଯାଉଛି। ଚଳିତ ମାସ ଶେଷ ସୁଦ୍ଧା ବାଲେଶ୍ୱରରେ କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର ଏମ୍‌ସର ସାଟେଲାଇଟ୍‌ ହସ୍ପିଟାଲ୍‌। ସେଠାରେ ଓପିଡି ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ମୁକେଶ ତ୍ରିପାଠୀ।

ବାଲେଶ୍ୱରରେ ଏମ୍‌ସ ସାଟେଲାଇଟ୍‌ ହସ୍ପିଟାଲ୍‌ର ନୂଆ ବିଲ୍‌ଡିଂ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ପାଇଁ ଆଜି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକଙ୍କ ସହ ୧୦ ଜଣିଆ ଡାକ୍ତରୀ ଟିମ୍‌ ଯାଇଥିଲେ। ସ୍ଥିତି ଅନୁଧ୍ୟାନ କରିବା ପରେ ଏମ୍‌ସର ୧୦ ଜଣିଆ ଟିମ୍‌ ମେଡ଼ିକାଲ୍‌ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ। ସେହି ସମୟରେ ରୋଗୀଙ୍କୁ ଅତି ସହଜରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମେଡିକାଲ କ୍ରିୟାନୁଷ୍ଠାନ କମିଟି ଦାବି କରିଥିଲେ।

୨୦୧୩ ମସିହାରେ ପୂର୍ବ ଭାରତର ଓଡ଼ିଶାରେ ବାଲେଶ୍ୱରଠାରେ ୩୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ସଂସଦରେ ପ୍ରସ୍ତାବ ରଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ପରବର୍ତ୍ତୀ ସମୟରେ ପ୍ରକଳ୍ପ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏନ୍‌ଡିଏ ସରକାର ଅମଳରେ ବାଲେଶ୍ୱରରେ ଏମ୍‌ସ ସାଟେଲାଇଟ୍‌ ହସ୍ପିଟାଲ୍‌ ନିର୍ମାଣ କଥା ପୁଣି ଥରେ ଉଠିଥିଲା। ଏପରିକି କେନ୍ଦ୍ର ସରକାର ୩୮ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଥିଲେ। ଏହା ପରେ ଅର୍ଥାତ ୨୦୧୮ ଅଗଷ୍ଟ ୨୫ ତାରିଖରେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ପୂର୍ବତନ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତିନି ମହାଲା ବିଶିଷ୍ଟ ଅତ୍ୟାଧୁନିକ ଓପିଡି ବିଲଡିଂ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେବେଠାରୁ ଏମ୍‌ସ ସାଟେଲାଇଟ୍‌ ହସ୍ପିଟାଲ୍‌ର ଓପିଡି ଅସ୍ଥାୟୀ ଭାବେ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜର ପରିସରରେ ଚାଲୁ ରହିଛି। ଯାହା ଏବେ ନିଜସ୍ୱ ବିଲଡିଂରେ ଚାଲିବ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ୧୧୦ କୋଟି ଟଙ୍କାର ୩୦ ଏକରରୁ ଅଧିକ ଜମି ଯୋଗାଇ ଦେଇଛନ୍ତି। ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com