ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ବାନ୍ଧବୀଙ୍କ କୋହଭରା ପୋଷ୍ଟ । ତୁମେ ଚାଲିଗଲ…

ନୂଆଦିଲ୍ଲୀ: ଦେଶ ହରାଇଲା ଅମୁଲ୍ୟ ରତ୍ନ । ଚାଲିଗଲେ ଭାରତର ‘ରତନ’ । ଯିଏକି ଥିଲେ ଶିଳ୍ପ ଜଗତର ଏକ ମାଇଲ ଖୁଣ୍ଟ । ଆଉ ସୃଷ୍ଟି କରିଥିଲେ ବହୁ ଉଦାହରଣ । ସେହି ଶିଳ୍ପ ଜଗତର ଅମୁଲ୍ୟ ରତ୍ନ ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ପୁରା ଦେଶରେ ଖେଳିଯାଇଛି ଶୋକର ଛାୟା । ଗେଟିଏ ପଟେ ଦଶହରା ପାଇଁ ଉତ୍ସବର ମାହୋଲ ଥିବା ବେଳେ ଅନ୍ୟପଟେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା । ବୟସାଧିକ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ଏହି ମହାନ ଉଦ୍ୟୋଗପତି ।
କିନ୍ତୁ ନିଜର ସରଳତା, ଭଦ୍ରତା ଓ ଜୀବନ ଶୈଳୀ ପାଇଁ ସବୁ ଲୋକଙ୍କ ମନରେ ଏବେବି ସେ ଜୀବିତ । ପୁରା ଦେଶ ଏବେ ରତନଙ୍କ ପାଇଁ ଶୋକ ପାଳନ କରୁଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଏହାରି ଭିତରେ ଆଉ ଜଣେ ଶୋକ ପ୍ରକାଶ କରିଛନ୍ତି ଯିଏକି ରତନ ଟାଟାଙ୍କ ଅତି ନିକଟତର । ଆଉ ସେ ହେଲେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ । ରତନଙ୍କ ନିଧନ ଖବର ଶୁଣି ସେ ଦୁଃଖରେ ଭଙ୍ଗି ପଡିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ହୃଦୟ ବିଦାରକ ପୋଷ୍ଟ କରିଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଭେଟେରାନ ଅଭିନେତ୍ରୀ ସିମି ଗରେୱାଲ । ଦିନେ ସିମି ଗରେୱାଲ ରତନ ଟାଟାଙ୍କୁ ଭଲ ପାଉଥିଲେ ।
ତାଙ୍କୁ ଜଣେ ଭଲ ବନ୍ଧୁ ଭାବରେ ବିବେଚନା କରୁଥିଲେ । ତେଣୁ ରତନଙ୍କୁ ଶେଷ ସମୟରେ ବିଦାୟ ଦେବାକୁ ଯାଇ ସିମି ଲେଖିଛନ୍ତି ଯେ, ସେମାନେ କହୁଛନ୍ତି ତୁମେ ଚାଲିଗଲଟ୍ଟତୁମର କ୍ଷତି ସହିବା ବହୁ କଷ୍ଟଦାୟକ । ବହୁତ ହୃଦୟ ବିଦାରକ । ବିଦାୟ ସାଙ୍ଗ । ତେବେ ବିଗତ ଦିନରେ ସିନେ ଅଭିନେତ୍ରୀ ତଥା ଟିଭି ହୋଷ୍ଟ ସିମି ଗରେୱାଲଙ୍କ ସହ ରତନ ଟାଟାଙ୍କ ପ୍ରେମ କାହାଣୀ ଏକାଦା ସମସ୍ତଙ୍କ ନଜରକୁ ଆସିଥିଲା । ସିମି ମଧ୍ୟ ରତନକୁ ଭଲ ପାଉଥିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ବିବାହ ପାଇଁ ବି ପ୍ରସ୍ତୁତି ହୋଇଥିଲା ।
କିନ୍ତୁ କୌଣସି ଏକ କାରଣରୁ ବିବାହ ହୋଇପାରିନଥିଲା ବା ଅଟକି ଯାଇଥିଲା । ହେଲେ ଏବେ ରତନଙ୍କ ମୃତ୍ୟୁ ଖବର ସିମିଙ୍କୁ ସ୍ତବ୍ଧ କରିଦେଉଛି । ଏନେଇ ପ୍ରେମିକ ରତନଙ୍କ ପାଇଁ ଏକ ସୁନ୍ଦର କୋହଭରା ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ସିମି । ଯାହା ଏବେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି । ସେପଟେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ପରେ ଏବେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ।