କଂଟାବାଞ୍ଜି() କଣ୍ଟାବାଞ୍ଜିବାସୀଙ୍କ ଦୀର୍ଘ ବର୍ଷ ଦାବି ହେଲା ପୂରଣ । କଣ୍ଟାବାଞ୍ଜି ସହରରୁ ଗଡ଼ିଲା ଇସ୍ପାତ ଏକ୍ସପ୍ରେସ୍ । ଦିଲ୍ଲୀ- ବମ୍ବେ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଲଖ ହାୱଡାକୁ ଗଡିଲା ଏକ୍ସପ୍ରେସ ଟ୍ରେନ । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗିତା କୁମାରି ସିଂ ଦେଓ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପ୍ରବନ୍ଧକ ପ୍ରଦୀପ କୁମାର ଉପସ୍ଥିତ ରହିଥିଲେ ।
କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଣ୍ଟାବାଞ୍ଜି ଆସିଥିଲେ । ସେହି ସମୟରେ ଜନସାଧାରଣ ସହ ବିଭିନ୍ନ ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଟିଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନ ସଂମ୍ପ୍ରସାରଣ କରିବାକୁ ଦାବି କରିଥିଲେ । କଣ୍ଟାବାଞ୍ଜିବାସୀଙ୍କ ଦାବିକୁ ଆଜି ପୂରଣ ହୋଇଥିବା ସାଂସଦ କହିଥିଲେ । ଦୀର୍ଘ ବର୍ଷ ହେବ ସହରର ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା କମିଟି, ରାଇଟ ଟୁ ଫାଇଟ, ୟୁଥ ପାୱାର ଭଳି ଅନେକ ସଂଗଠନ ଦାବି ନେଇ ରେଳ ରୋକ ସହ ଦାବିପତ୍ର ଜଣାଇଥିଲେ । ଏହା ଜନସାଧାରଣଙ୍କ ବିଜୟ , ମୁଁ ଭୁବନେଶ୍ୱର ଯାଉଥିବା ସମୟରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଇସ୍ପାତ ଏକ୍ସପ୍ରେସ କେମିତି କଂଟାବାଞ୍ଜିରୁ ଚାଲିବ ସେ ନେଇ ଦାବି କରିଥିଲି । ଆଜି ଏହି ଦାବି ପୂରଣ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ବିଧାୟକ । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ପୂର୍ବତନ ବିଧାୟକ ଆୟୁବ ଖାଁଙ୍କୁ ପ୍ରଂଶସା କରିଥିଲେ । କଂଟାବାଞ୍ଜିରେ ରେଳ ବିଭାଗର ଉନ୍ନତି ମୂଳକ କାମ ହୋଇଛି । ତେବେ ତାହା ପୂର୍ବତନ ବିଧାୟକଙ୍କ ଅବଦାନ । ସେ ସବୁ ସମୟରେ କଂଟାବାଞ୍ଜି ରେଳ ଷ୍ଟେସନର ବିକାଶ କେମିତି ହେବ ସେନେଇ କାମ କରିଛନ୍ତି ବୋଲି ନିଜ ବ୍ୟକ୍ତବରେ କହିଥିଲେ ।
![](https://i0.wp.com/odia.mobilenews24x7.com/wp-content/uploads/2022/04/WhatsApp-Image-2022-04-12-at-1.22.24-PM.jpeg?resize=543%2C407&ssl=1)
ଶେଷରେ ସାଂସଦ, ବିଧାୟକ ସବୁଜ ପତକା ଦେଖାଇ ଟ୍ରେନ ଆଗକୁ ଗଡିବାକୁ ଗ୍ରୀନ ସିଂଗନାଲ ଦେଇଥିଲେ । ଇସ୍ପାତ ଏକ୍ସପ୍ରେସ ସପ୍ତାହକୁ ୪ ଦିନ ଅର୍ଥାତ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଚାଲିବ । କୋଚ୍ ଇଣ୍ଡିକେଟର, ଫୁଟ ଓଭର ବ୍ରିଜର ମଧ୍ୟ ଆଜି ଉଦଘାଟନ କରିଥିଲେ ସାଂସଦ ଏବଂ ବିଧାୟକ । ଆଜିର ଏହି କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ କନକ ବଦ୍ଧନ ସିଂ ଦେଓ, ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ଡି.ଆର୍.ୟୁ.ସି.ସି. ସଦସ୍ୟ ରାଜେଶ ଅଗ୍ରୱାଲ, କଂଟାବାଞ୍ଜି ପ୍ରେସ କ୍ଲବ, ରାଇଟ ଟୁ ଫାଇଟ ସହ ବିଭିନ୍ନ ସଂଗଠନ, ମାନ୍ୟଗଣ୍ୟ ବ୍ୟକ୍ତି, ମହିଲା ସ୍ୱଂୟ ସହାୟକ ଗୋଷ୍ଠିର ସଦସ୍ୟା, ରେଳୱେର ବରିଷ୍ଠ ଅଧିକାରି ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଟାଉନ ପୋଲିସ, ଆରପିଏଫ, ଜିଆରପି ପୋଲିସ ମୁତୟନ ହୋଇଥିଲେ ।
Back to top button