ଓଡ଼ିଶା

୩୦ ଯାଏ ସ୍କୁଲରେ ପାଠପଢ଼ା ବନ୍ଦ: ପିଲା ଆସିବେନି, ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ

ଭୁବନେଶ୍ବର() ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ଅର୍ଥା‌ତ୍‌ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହେବ। ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ବିଭାଗ ଅଧୀନ ସମସ୍ତ ନିର୍ଦେଶାଳୟକୁ ଅବଗତ କରାଇଛନ୍ତି।

ଲଗାତାର ଭାବେ ଖରା ବଢ଼ୁଥିବାରୁ ସ୍କୁଲ ଛୁଟି କିମ୍ବା ସମୟ ପରିବର୍ତ୍ତନ ଲାଗି ଅଭିଭାବକ, ସ୍କୁଲ କର୍ତୃପକ୍ଷମାନେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶିକ୍ଷକମାନେ ମଧ୍ୟ ସମାନ ସ୍ବର ଉଠାଇବା ପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏନେଇ ଆଜି ବିଭାଗୀୟ ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅଧିକାରୀମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ। ବର୍ତମାନ ସମୟରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି କରାଗଲେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବ। ପାଖାପାଖି ଦୁଇ ମାସ ଧରି ପୁଣି ପାଠପଢ଼ା ପଛେଇ ଯିବ। ତେଣୁ ଗ୍ରୀଷ୍ମ ଛୁଟିରେ କୌଣସି ପରିବର୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ୍‌ ୱେଭ୍‌ ଆଧାରରେ ଆସନ୍ତା ୫ ଦିନ ଲାଗି ସ୍କୁଲଗୁଡ଼ିକରେ ପିଲାଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହି ସମୟ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବଭଳି ସ୍କୁଲକୁ ଆସିବେ। ପିଲାଙ୍କ ନାମଲେଖା ପ୍ରକ୍ରିୟା ଜାରି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ଥିର ହୋଇଛି। ସେଥିପାଇଁ ବିଜ୍ଞପ୍ତିରେ ବି କେବଳ କ୍ଲାସ ବାତିଲ୍‌ କଥା ଉଲ୍ଲେଖ ହୋଇଛି।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ କିଛି ଦିନ ହେବ ତାପମାତ୍ରା ବଢ଼ୁଛି। ଅଧିକାଂଶ ସ୍ଥାନରେ ୪୦ ଡିଗ୍ରି ଉପରେ ରହୁଛି। ‌ତେଣୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ତମାନ ସମୟରେ ପିଲାଙ୍କ ପାଠପଢ଼ା ବନ୍ଦ କରିବାର ଆବଶ୍ୟକତା ରହିଥିଲା। ଗ୍ରୀଷ୍ମ ଛୁଟି ପରିବର୍ତନ ନେଇ ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ବିଭିନ୍ନ ମହଲରେ ଆଲୋଚନା କରାଯାଇ ଏଭଳି ପଦକ୍ଷେପ ନିଆଯାଇଛି। ମେ’ ମାସଠାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ସ୍କୁଲ ସମୟରେ ପରିବର୍ତନ ହେବ। ତେଣୁ ସେତେବେଳେର ସ୍ଥିତିକୁ ଦେଖି ପରବର୍ତୀ ନିଷ୍ପତ୍ତି ନିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com