ଜାତୀୟ

ଭାରତ ଉପରେ ପଡିବ ବୈଶ୍ୱିକ ମାନ୍ଦାବସ୍ଥାର ପ୍ରଭାବ, ୭.୬ %କୁ ଖସିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ:  ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା, ବର୍ଦ୍ଧିତ ତୈଳ ଦର ଏବଂ ଦୁର୍ବଳ ଘରୋଇ ଚାହିଦା ଯୋଗୁ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ଭାରତର ଅଭିବୃଦ୍ଧି ହାର ସଙ୍କୁଚିତ ହେବ । ମୋର୍ଗାନ ଷ୍ଟାନ୍‌ଲେ ପକ୍ଷରୁ ଏହି ଅନୁମାନ କରାଯାଇଛି । ଚଳିତ ଏବଂ ଆସନ୍ତା ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ଏହା ଖସାଇଛି ।

ସଂସ୍ଥାର ସଂଶୋଧିତ ଆକଳନ ଅନୁସାରେ, ୨୦୨୨-୨୩ ଆର୍ଥିକବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୬% ରହିବ । ୨୦୨୩-୨୪ରେ ଏହା ୬.୭% ରହିବ ବୋଲି ସଂସ୍ଥା ଅନୁମାନ କରିଛି । ପୂର୍ବ ଆକଳନ ତୁଳନାରେ ଏହା ୩୦ ବେସିସ୍‌ ପଏଣ୍ଟ କମ୍‌ ।

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଏହା ପ୍ରଭାବରେ ଭାରତରେ ଦରବୃଦ୍ଧି ସ୍ଥିତି ତେଜିଛି । ଭାରତ ବିଶ୍ୱର ତୃତୀୟ ବୃହତ୍‌ ତୈଳ ଆମଦାନିକାରୀ । ତୈଳ ଦର ବୃଦ୍ଧି ଫଳରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୧୭ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଉଚ୍ଚ ମୁଦ୍ରାସ୍ଫୀତି, ଚାପଗ୍ରସ୍ତ ଆର୍ଥିକ ସ୍ଥିତି, ଚାହିଦା ହ୍ରାସରୁ ଉପୁଜିଥିବା ପ୍ରତିକୂଳ ପରିସ୍ଥିତି ଆଦିର ପ୍ରଭାବ ଭାରତର ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ମୋର୍ଗାନ୍‌ ଷ୍ଟାନ୍‌ଲେର ମୁଖ୍ୟ ଅର୍ଥନୀତିଜ୍ଞ(ଭାରତ) ଉପାସନା ଛାଚ୍‌ରା ପ୍ରକାଶ କରିଛନ୍ତି । ଆର୍ଥିକ ଚାପ ଏବଂ ଦରବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ଓ ଦେଶର ଚଳନ୍ତି ଖାତା ନିଅଣ୍ଟ ବିକୃତ ହୋଇଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦରବୃଦ୍ଧିଜନିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ପ୍ରମୁଖ ସୁଧ ହାର ରେପୋରେଟ୍‌ରେ ବୃଦ୍ଧି କରିଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଆଗକୁ ମଧ୍ୟ ସୁଧ ହାର ବୃଦ୍ଧି ପ୍ରକ୍ରିୟା ଜାରି ରଖିବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଦରବୃଦ୍ଧି ସ୍ଥିତିରେ ଭାରତ ଏବେ ରୁଷଠାରୁ ଶସ୍ତାରେ ପ୍ରଚୁର ମାତ୍ରାରେ ତେଲ କିଣିଚାଲିଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଆକ୍ରୋଶର ଶିକାର ହୋଇଛି ରୁଷ । ଆମେରିକା, ବ୍ରିଟେନ ସହ ଅନ୍ୟାନ୍ୟ ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକ ରୁଷ ତେଲ ଉପରେ ରୋକ ଲଗାଇଛନ୍ତି । ଏଭଳି କ୍ଷେତ୍ରରେ ପରିସ୍ଥିତିର ଲାଭ ଉଠାଇ ଭାରତ ରୁଷଠାରୁ ଶସ୍ତାରେ ତେଲ କିଣୁଛି ।

ସୂଚନାଯୋଗ୍ୟ, ଯୁଦ୍ଧ ମଧ୍ୟରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୩୯ ଡଲାରରେ ପହଞ୍ଚିଯାଇଥିଲା । ଭୁ-ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ତୈଳ ଦର ମଧ୍ୟରେ ଚଳିତ ଆର୍ଥିକ ବର୍ଷ ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ୧୦ ବର୍ଷର ସର୍ବୋଚ୍ଚ ସ୍ତର ଅର୍ଥାତ୍‌ ଜିଡିପିର ୩.୩%କୁ ବୃଦ୍ଧି ପାଇପାରେ ବୋଲି ମୋର୍ଗାନ ଷ୍ଟାନ୍‌ଲେ ଆଶଙ୍କା ପ୍ରକାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com