ଜାତୀୟ

ଲାଲୁ-ରାବଡୀଙ୍କ ଘରେ ଅଚାନକ ସିବିଆଇ ଚଢ଼ଉରେ ନୀତିଶ ଡାକିଲେ ବଡ଼ ବୈଠକ !

ପାଟନା: ବିହାର ରାଜନୀତି  ଶୁକ୍ରବାର ସକାଳେ ଅଚାନକ ଉଷ୍ମ ହୋଇଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କ ଘର ଉପରେ ସିବିଆଇ ଚଢଉ ପରେ ଭିନ୍ନ ଭିନ୍ନ ରାଜନୈତିକ ଦଳରେ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସିବିଆଇ ଚଢ଼ଉ ଘଟଣା ପ୍ରଘଟ ହେବା ପରେ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନରେ ସବୁ ମନ୍ତ୍ରୀଙ୍କ ସମେତ ଜାତୀୟ ସଭାପତି ଲଲନ ସିଂହ ଓ ପ୍ରଦେଶ ଅଧ୍ୟକ୍ଷଙ୍କୁ ଯୋଗ ଦେବାକୁ ଡକାଇବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ବୈଠକରେ ଜେଡିୟୁର ସବୁ ମନ୍ତ୍ରୀ ଓ ନେତାଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ବୈଠକ କାହିଁକି ଡକା ଯାଇଛି ସେ ବାବଦେ ମନ୍ତ୍ରୀମାନଙ୍କୁ କିଛି ଜଣା ନଥିବା କହିଛନ୍ତି। ଜନୈକ ମନ୍ତ୍ରୀ ଗଣମାଧ୍ୟମ ସହ ଆଲୋଚନାରେ ବୈଠକରେ ଯୋଗ ଦେବାକୁ ଡାକରା ଆସିଥିବା କହିଛନ୍ତି, ହେଲେ କାହିଁକି ବୈଠକ ହେଉଛି ସେ ବାବଦେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ତେବେ ଗଣମାଧ୍ୟମ ସୂତ୍ରରୁ ଯାହା ସୂଚନା ଆସୁଛି ତାହା ହେଉଛି ରାଜ୍ୟସଭା ନିର୍ବାଚନ ଲାଗି ଏହି ବୈଠକ ଡକାଯାଇଛି।

ବୈଠକରେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ଏକ ମତ ହେବା ଲାଗି ଉଦ୍ୟମ କରାଯିବ। ଯେପରି ନିର୍ବାଚନ ବେଳେ ପ୍ରାର୍ଥୀଙ୍କୁ ନେଇ କୌଣସି ଗଣ୍ଡଗୋଳିଆ ପରିସ୍ଥିତି ନ ଉପୁଜେ। ରାଜ୍ୟସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଆର. ସି .ପି. ସିଂହଙ୍କ ପ୍ରାର୍ଥୀତ୍ୱ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ ରାଜ୍ୟସଭା ନିର୍ବାଚନ ସହିତ ଶୁକ୍ରବାର ସକାଳେ ରାବଡୀ ଦେବୀଙ୍କ ପାଟନାସ୍ଥିତ ଆବାସରେ ଚାଲିଥିବା ସିବିଆଇ ଚଢଉ ବାବଦେ ମଧ୍ୟ ଆଲୋଚନା ହୋଇପାରେ। ଏଥିରେ ରାଜ୍ୟ ରାଜନୀତି ଉପରେ ଏହି ଚଢଉର ପଡିବାକୁ ଥିବା ସମ୍ଭାବିତ ପ୍ରଭାବ ନେଇ ଆଲୋଚନା ହୋଇପାରେ।

ସିବିଆଇ ଚଢଉ ପରେ ଆରଜେଡି ବରିଷ୍ଠ ନେତା ଶିବାନନ୍ଦ ତିୱାରୀଙ୍କ ବୟାନ ଆସିଛି। ରାଜ୍ୟରେ ଜାତିଗତ ଜନଗଣନାକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ ବଢୁଥିବା ନିକଟତା ବିଜେପି ଲାଗି ଏବେ ଚିନ୍ତାର କାରଣ ହୋଇଛି ବୋଲି ତିୱାରୀ କହିଛନ୍ତି। ଏଣୁ ସିବିଆଇର ଏପରି ଚଢଉ ଜେଡିୟୁ ନେତା ନିତିଶ କୁମାରଙ୍କ ଲାଗି ଚେତାବନୀ କି ନୁହେଁ ଏବେ ଏହା ବିଚାର କରାଯାଉଛି। ତେବେ ବୈଠକ ପରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com