ଓଡ଼ିଶା

ରଥଖଳା ହାଲ୍‌ଚାଲ୍‌, ଜୋରସୋରରେ ଆଗେଇ ଚାଲିଛି କାମ…

ପୁରୀ: ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ରବିବାର ରଥରେ ଗୟଳ ମୋଡ଼ା କାର୍ଯ୍ୟ ସରିଛି । ରଥ ଖଳାରେ ଦୁଆରଘଡ଼ା କାମ ଆରମ୍ଭ ହୋଇଛି । ଅଂଳା କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ଚନ୍ଦ୍ରଶାଳିରେ ଲାଗିଥାଏ ଅଂଳା । ଦୁଆରଘଡ଼ାର ଉପରଅଂଶ ଚନ୍ଦ୍ରଶାଳି । ତିନି ରଥର ୪ଟି ଲେଖା କତରା ସରିଛି । ତୀଖଗୁଜ ଓ ଦଣ୍ଡାରେ ପିଟା ହେବ କତରା । ରଥ ଚାରିପଟେ ଯୋକା ପ୍ରସ୍ତୁତ ରହିଛି । ଓଝା ସେବକମାନେ ଯୋକା କଣ୍ଟା ପ୍ରସ୍ତୁତ କରିଛନ୍ତି । ରଥର ଗୟଳ, ଦଣ୍ଡା ଓ ଅଖକୁ ଯୋକା ବାନ୍ଧିରଖିବ ।

ରଥରେ ଗୟଳ କାମ ସରିଛି । ବିଶ୍ୱକର୍ମାମାନେ ଗୟଳରେ ବିନ୍ଧ କରି ଟାଣ ଆଣ୍ଟିଛନ୍ତି । ଦଣ୍ଡା ଉପରେ ଅଂଶୁଆରି ଓ ଟାଣ ଲଗାଯାଇ ଗୟଳ ରହିଛି । ପୋଲ ଓ ଛନ୍ଦା ଗୟଳ ମିଶି ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୨ଟି ଲେଖାଏଁ ଓ ଦେବଦଳନ ରଥରେ ୮ଟି ଗୟଳ ପଡିଥିବା ବିଶ୍ୱକର୍ମାମାନେ କହିଛନ୍ତି । ଗୟଳ ଉପରେ ପଟା ପଡିବ । ଗୟଳ କାମ ପରେ ଏଣିକି ରଥରେ ଯୋକା ପକାଯିବ । ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୬ ଗୋଟି ଲେଖାଏଁ ଯୋକା ଲାଗିଥାଏ । ଦେବଦଳନ ରଥରେ ୧୨ଟି ଯୋକା ଲାଗିବ । ରଥର କୋଣରେ ଯୋକା ସ୍ଥାପନ କରାଯିବ।

ଛଅ କାଠ ଉଠିବାକୁ ରଥରେ ଫାଳିବାଡ଼ିଆ ହୋଇଛି । ଭୋଇସେବକମାନେ ଫାଳିରେ ଠିଆହୋଇ ଛଅ କାଠ ଉଠାଇବେ । ରଥଖଳାରେ ଗାରେଡ଼ି ନିର୍ମାଣ ଚାଲିଛି । ଭୋଇସେବକମାନେ ସାରଥି ଓ ଘୋଡ଼ା ବୋହିନେବା ପାଇଁ ବିଶ୍ୱକର୍ମାମାନେ ସାଙ୍ଗି ତିଆରି କରିଛନ୍ତି । ରଥର ଚଉଦନାହାକା ପ୍ରସ୍ତୁତ ରହିଛି । ଯୋକା ପଡ଼ିଲା ପରେ ରଥରେ ଚଉଦନାହାକା ବୁଲିବ । ରୂପକାର ଓ କରତିସେବକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଦୋଳବେଦିରେ ଓଝା ସେବକମାନେ ପୋଟଳ ପାଇଁ ଗୋଡ଼ିଛାଲ କଣ୍ଟା ଓ ଭୂଇଁ କଣ୍ଟା ଆଦି ଲୁହା ସାମଗ୍ରୀ ନିର୍ମାଣ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com