ଜାତୀୟ

ଶରଦ ପାୱାର ମନାକଲେ, ତାହେଲେ କିଏ ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ?

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କିଏ ହେବେ ବିରୋଧୀଙ୍କ ପ୍ରାର୍ଥୀ ? ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ନିଜେ ଶରଦ ପାୱାର ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ନିଜକୁ ଦୂରେଇ ରଖିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀଙ୍କ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଗତକାଲି (ସୋମବାର) ଏନସିପି କ୍ୟାବିଟେନ ମନ୍ତ୍ରୀଙ୍କ ବୈଠକରେ ଶରଦ ପାୱାର ଏହା ସ୍ପଷ୍ଟ କରିଥିବା ଜଣାପଡିଛି । ୮୧ ବର୍ଷିୟ ଶରଦ ପାୱାର କହିଛନ୍ତି, ‘ମୁଁ ଏହି ଦୌଡରେ ନାହିଁ । ରାଷ୍ଟ୍ରପତି ନିର୍ବାଚନରେ ମୁଁ ବିରୋଧୀଙ୍କ ପ୍ରାର୍ଥୀ ହେବି ନାହିଁ’ ।

ରାଷ୍ଟ୍ରପତି ନିର୍ବାଚନରେ ପାୱାରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ନେଇ ମହାରାଷ୍ଟ୍ର କଂଗ୍ରେସ ଘୋଷଣା ପରେ ଶରଦଙ୍କ ଏହି ମନ୍ତବ୍ୟ ସାମନାକୁ ଆସିଛି । କେବଳ କଂଗ୍ରେସ ନୁହେଁ ଏହା ପୂର୍ବରୁ ରବିବାର ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଶରଦ ପାୱାରଙ୍କୁ ଭେଟି ଆଲୋଚନା କରିଥିଲେ ।

ମଙ୍ଗଳବାର ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଦୀଲିପ ପାଟିଲ ମଧ୍ୟ ପାୱାରଙ୍କ ରାଷ୍ଟ୍ରପତି ଦୌଡରୁ ବାହାର ହେବା ଖବର ଉପରେ ମୋହର ମାରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ଆସନ୍ତା ଜୁଲାଇ ୧୮ରେ ନିର୍ବାଚନ ହେବ ଏବଂ ଜୁଲାଇ ୨୧ରେ ମତଗଣନା ହେବ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ଶେଷ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com