ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଓ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଜୁନ ୨୦ ତାରିଖରେ ହେବାକୁ ଯାଉଥିବା ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଭୋଟ ଦେଇ ପାରିବେନି। ଏ ସଂକ୍ରାନ୍ତରେ ସେମାନେ ବମ୍ବେ ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ଉଭୟ ନେତା ଗତ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇ ପାରିନଥିବା ବେଳେ ଆଗାମୀ ଏମଏଲସି ନିର୍ବାଚନରୁ ମଧ୍ୟ ବାଦ ପଡିଛନ୍ତି।
![](https://i0.wp.com/www.prameyanews7.com/wp-content/uploads/2022/06/deshmukh.jpg?resize=708%2C398&ssl=1)
ମାମଲାରେ କୋର୍ଟ ଗୁରୁବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ସେମାନଙ୍କ ପିଟିସନ ଖାରଜ ହୋଇଥିବାର କୋର୍ଟ କହିଛନ୍ତି। ଜଷ୍ଟିସ ଏନ.ଜେ.ଜମାଦାର ମାମଲାରେ ଉଭୟପକ୍ଷଙ୍କ ବିସ୍ତୃତ ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ମଲ୍ଲିକଙ୍କ ପକ୍ଷରୁ କୋର୍ଟରେ ଶୁଣାଣି କରିଥିବା ବରିଷ୍ଠ ଓକିଲ ଅମିତ ଦେଶାୟୀ ମନ୍ତ୍ରୀ କେବଳ ପୋଲିସ ଏସ୍କର୍ଟରେ ଯାଇ ନିଜର ଭୋଟ ଦେବାକୁ ଚାହାନ୍ତି ବୋଲି କୋର୍ଟଙ୍କୁ କହିଥିଲେ। ଜନପ୍ରତିନିଧି ଆଇନର ଧାରା ୬୨(୫) ଜେଲରେ ବନ୍ଦୀ ନେତାଙ୍କ ଭୋଟ ଦାନ ଅଧିକାର ଦେଉନଥିବା କୋର୍ଟ କହିଥିଲେ।
![](https://i0.wp.com/www.prameyanews7.com/wp-content/uploads/2022/06/mallik.jpg?resize=708%2C398&ssl=1)
ତେବେ ମଲ୍ଲିକ ଜେଲରେ ନୁହେଁ ଏବେ ହସ୍ପିଟାଲରେ ଥିବା ଦେଶାୟୀ ତର୍କ ଉପସ୍ଥାପନ କରିଥିଲେ। ସେହିପରି ମାମଲାରେ ତାଙ୍କୁ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରାଯାଇ ନଥିବାରୁ ଭୋଟଦାନ ପ୍ରକ୍ରିୟାରେ ତାଙ୍କୁ ଅଯୋଗ୍ୟ କରାଯାଇ ପାରିବନି ବୋଲି କହିଥିଲେ। ତେବେ ଇଡି ପକ୍ଷରୁ କୋର୍ଟରେ ଉପସ୍ଥିତ ଅତିରିକ୍ତ ସୋଲିସିଟର ଜେନେରାଲ ଅନୀଲ ସିଂହ ମାମଲାରେ କୋର୍ଟ ତାଙ୍କ ବିବେକ ଅନୁସାରେ ଆଇନ ଦ୍ୱାରା ଲଗା ଯାଇଥିବା ପ୍ରତିବନ୍ଧକକୁ ଦେଖି ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ। ତେବେ ଆଇନ ପ୍ରତିବନ୍ଧକ ସତ୍ତ୍ୱେ ଅନୁମତି ଦେଲେ ଏହା ବିପରୀତ ହେବ ବୋଲି ସେ କହିଥିଲେ।
Back to top button