Breaking NewsFeaturedରାଜନୀତି

ମୋଦି ଭାଇଜାନ୍’ଙ୍କ ଉପରେ ଭରସା କର: ଶାହନୱାଜ ହୁସେନ, ଅସଦୁଦ୍ଦିନ ଓୱେସୀଙ୍କୁ କଡ଼ା କାଉଣ୍ଟର୍

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନୱାଜ ହୁସେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିବା ସହ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ମାରିଛନ୍ତି ଶକ୍ତ ତୀର। ଶାହନୱାଜ କହିଛନ୍ତି ଯେ ମୋଦି ଭାଇଜାନଙ୍କୁ ଭରସା କର। ତାଙ୍କ ଅଧୀନରେ ଦେଶରେ ମୁସଲମାନ ସବୁ ଅଧିକ ସୁରକ୍ଷିତ। ଓୱେସୀ କହୁଛନ୍ତି ମସଜିଦ ବିପଦରେ ଅଛି, ମୁସଲମାନମାନେ ଭୟଭୀତ ଅଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋଦି ସରକାରଙ୍କ ଅଧୀନରେ ମସଜିଦ ସମ୍ପୂର୍ଣ୍ଣ ସୁରକ୍ଷିତ। ଦେଶର ସମସ୍ତ ମୁସଲମାନ ମୋଦି ଭାଇଜାନଙ୍କୁ ବିଶ୍ୱାସ କରନ୍ତୁ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଆଇଏନଡିଆଇଏ ମେଣ୍ଟରେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖିଥିଲେ, ଏପରିକି ମେଣ୍ଟର ସଂଯୋଜକ ହେବାର ସ୍ବପ୍ନ ବି ଦେଖିଥିଲେ, କିନ୍ତୁ ଆଜି ତାଙ୍କ ଅବସ୍ଥା ଏପରି ଯେ ସେ ଘର ନୁହନ୍ତି କିମ୍ବା ଘାଟର ନୁହନ୍ତି। ଏଥର ବିଜେପିକୁ ନିଶ୍ଚୟ ଜିତାଇବେ ବିହାରବାସୀ।

ଏଠାରେ କହିରଖୁଛୁ ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରକୁ ନେଇ ନିକଟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମୋଦି ସରକାରଙ୍କ ପାଇଁ ଉଠାଇଛନ୍ତି ଅନେକ ପ୍ରଶ୍ନ। ୬ ଡିସେମ୍ବରରେ ବାବ୍ରି ମସଜିଦ ଭାଙ୍ଗିବାର ଘଟଣା ସବୁବେଳେ ମନରେ ରହିବ, ଆମେ କେବେ ଭୁଲିବୁ ନାହିଁ ବୋଲି ଓୱେସୀ କହିଛନ୍ତି। ସେହିପରି ଲୋକସଭା ନିର୍ବାଚନରେ କେନ୍ଦ୍ର ସରକାର ଅଯୋଧ୍ୟାକୁ ଏକ ପ୍ରସଙ୍ଗ କରିବାକୁ ଚେଷ୍ଟା କରିବେ, କିନ୍ତୁ ପ୍ରକୃତ ପ୍ରସଙ୍ଗ ହେଉଛି ବେରୋଜଗାରୀ । ପ୍ରସଙ୍ଗ ହେଉଛି ମୁଦ୍ରାସ୍ଫୀତି । ଚୀନ୍ ଆମର ଜମି ଦଖଲ କରିବା ବି ବଡ଼ ପ୍ରସଙ୍ଗ ବୋଲି ଓୱେସୀ କହିଛନ୍ତି। ତେବେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତି କିନ୍ତୁ ମଥୁରାର ଶାହି ଇଦଗାହକୁ କୃଷ୍ଣ ମନ୍ଦିର ଭାବେ ଘୋଷଣା କରିବା ନେଇ ଚିହିଁକି ଉଠିଛନ୍ତି।

ଯଦି ସେମାନେ ମସଜିଦକୁ ଭାଙ୍ଗି ନଥାନ୍ତେ, ତେବେ କୋର୍ଟର ନିଷ୍ପତ୍ତି କଣ ଆସିଥାନ୍ତା ? ୬ ଡିସେମ୍ବର ଏକ ସତ୍ୟ । ଆମେ ଡିସେମ୍ବର ୬ ପୁନର୍ବାର ଘଟିବାକୁ ଚାହିଁବୁନି। ସେପଟେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଠାରୁ ଅଳ୍ପ ଦୂରରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ମସଜିଦ ନିର୍ମାଣ କରାଯାଉଥିବା ଏକ ପ୍ରଶ୍ନର ଉତ୍ତରରେ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ ଏଭଳି ମସଜିଦକୁ ମସଜିଦ ଭାବରେ ବିବେଚନା କରାଯାଇପାରିବ ନାହିଁ। କାରଣ ତୁମେ ମସଜିଦକୁ ଭାଙ୍ଗି ମସଜିଦ ନିଅ ବୋଲି କହିବା କେତେ ଠିକ୍? ସେହିପରି ସଂସଦରେ ମୁସଲମାନ ପ୍ରତିନିଧୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଛନ୍ତି ଓୱେସୀ। ତେବେ ମୋଦି ସରକାରଙ୍କୁ ପ୍ରଶଂସା କରି ଏବଂ ଭୋଟ୍ ଅପିଲ୍ କରି ଶାହନୱାଜ ହୁସେନ ଓୱେସୀଙ୍କୁ ଝଟକା ଦେଇଥିବା ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com