ଜାତୀୟ

‘ଅଗ୍ନିବୀର’ଙ୍କ ପାଇଁ ମହିନ୍ଦ୍ରା ଗ୍ରୁପର ବଡ ଘୋଷଣା

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସେନାର ‘ଅଗ୍ନିବୀର’ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୪ ବର୍ଷ ମଧ୍ୟରେ ଅଗ୍ନିବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଏବଂ ଯେପରି ଶୃଙ୍ଖଳିତ ହେବେ ତାହା ଦ୍ୱାରା ସେମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ପାଇଁ ଭଲ ସୁଯୋଗ ସୃଷ୍ଟିହେବ । ସେନାରେ ଶୃଙ୍ଖଳିତ ଏପରି ଯୁବକଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରୁଛି ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଜଣାଇଛନ୍ତି । ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଏହି ଅଫର ଏପରି ସମୟରେ ଆସିଛି ଯେତେବେଳେ ସରକାର ଏବଂ ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବିରୋଧ ହେବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ୩ ସେନାର ଅଧିକାରୀ । ଏହା ସତ୍ତ୍ୱେ ଏହି ଯୋଜନାକୁ ବିରୋଧ ହେଉଛି ।ଆନନ୍ଦ ମହିନ୍ଦ୍ରା ସୋମବାର ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ‘ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିକ୍ଷୋଭରେ ସେ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି’ ।ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣାକୁ ଟ୍ୱିଟରରେ ଅନେକ ଲୋକ ସ୍ୱାଗତ କରିଥିଲେ। ଜଣେ ୟୁଜର ପ୍ରଶ୍ନ ପଚାରିଥିଲେ ଯେ, ‘ମହିନ୍ଦ୍ରା ଗ୍ରୁପରେ ଅଗ୍ନିବୀରମାନଙ୍କୁ କେଉଁ ପୋଷ୍ଟ ଦିଆଯିବ’? ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ କର୍ପୋରେଟ କ୍ଷେତ୍ରରେ ଅଗ୍ନିବୀରମାନଙ୍କ ପାଇଁ ଅପାର ନିଯୁକ୍ତି ସମ୍ଭାବନା ରହିଛି । ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ୟ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ’ ।

Related Articles

Back to top button
WP Twitter Auto Publish Powered By : XYZScripts.com