କ୍ରୀଡ଼ା

ଟି-୨୦ ବିଶ୍ୱକପ-୨୦୨୨କୁ ନେଇ ଭବିଷ୍ୟବାଣୀ କଲେ କ୍ରିସ୍ ଗେଲ

ୱେଷ୍ଟଇଣ୍ଡିଜ, ୧୧ /୧୦/୨୦୨୨-    ଟି-୨୦ ବିଶ୍ୱକପର ଭବିଷ୍ୟବାଣୀ କରିଛନ୍ତି ୱେଷ୍ଟଇଣ୍ଡିଜର କ୍ରିକେଟର କ୍ରିସ୍ ଗେଲ । ଏକ ସାକ୍ଷାତକାରରେ ଗେଲ କହିଛନ୍ତି- ଟି-୨୦ ବିଶ୍ୱକପ ଜିତିବା ରେସରେ ଭାରତ ରହିଛି ସତ କିନ୍ତୁ ଭାରତ ଠାରୁ ୱେଷ୍ଟଇଣ୍ଡିଜ ଟି-୨୦ ଫାଇନାଲ ଖେଳିବା ପାଇଁ ଅଧିକ ଦାବିଦାର । ଏପରିକି ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଗେଲ । କିରଣ ପୋଲାର୍ଡ, ଆନ୍ଦ୍ରେ ରସେଲ ଓ ଡ୍ୱେନ ବ୍ରାଭୋଙ୍କ ଭଳି ଖେଳାଳି ଟିମରେ ନଥିଲେବି ୱେଷ୍ଟଇଣ୍ଡିଜର ଟି-୨୦ ଟିମରେ ଅନେକ ପ୍ରତିଭାବାନ ଖେଳାଳି ସାମିଲ ହୋଇଛନ୍ତି । ଏହି ଯୁବ ଓ ପ୍ରତିଭାବାନ ଖେଳାଳି କୌଣସି ବି ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ମ୍ୟାଚରେ ସଠିକ ରଣକୌଶଳ ସହ ମୈଦାନକୁ ଓହ୍ଲାଇବା ସହ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି  ବୋଲି ଗେଲ କହିଛନ୍ତି ।

ଚଳିତ ଟି-୨୦ ବିଶ୍ୱକପରେ ୨ ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜ ଟିମ୍ ସୁପର-୧୨ ପର୍ଯ୍ୟାୟକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିନାହିଁ । ସୁପର-୧୨ ପର୍ଯ୍ୟାୟକୁ ଯିବାକୁ ହେଲେ ରାଉଣ୍ଡ ପର୍ଯ୍ୟାୟ ଗ୍ରୁପରେ ଟପ୍-୨ ଟିମ ମଧ୍ୟରେ ରହିବା ଆବଶ୍ୟକ । ରାଉଣ୍ଡ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ନକଲେ ୱେଷ୍ଟଇଣ୍ଡିଜର ଟି-୨୦ ବିଶ୍ୱକପ ଅଭିଯାନ ଶେଷ ହେବ । ନିକୋଲାସ ପୁରନଙ୍କ ନେତୃତ୍ୱରେ ଚଳିତ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ ଟିମ୍ । ବିସ୍ଫୋରକ ବ୍ୟାଟର, ଷ୍ଟାର ଅଲରାଉଣ୍ଡର ଓ ଦ୍ରୁତ ବୋଲରଙ୍କୁ ନେଇ ୱେଷ୍ଟଇଣ୍ଡିଜର ଟିମ୍ ବେଶ ସନ୍ତୁଳିତ ।

ପୂର୍ବତନ ଅଧିନାୟକ ଡାରେନ ସାମିଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ଚାମ୍ପିୟନ ହୋଇଥିଲା । ୨୦୧୬ ଚାମ୍ପିୟନ ଟିମର ସଦସ୍ୟ ଥିଲେ ଗେଲ । ତେବେ ଗତବର୍ଷ ହୋଇଥିବା ଟି-୨୦ ବିଶ୍ୱକପ ପରଠାରୁ ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ୍ ଗେଲଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ । ତେବେ ଗେଲଙ୍କ ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com