ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ଏବଂ ରାଧେ ଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ । ଏ ନେଇ ସ୍ପଷ୍ଟ କରିଛି ଗୃହ ବିଭାଗ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସମସ୍ତ ଚାର୍ଜସିଟ୍ ଦାଖଲ କରାଯାଇ ସାରିଛି । ତଦନ୍ତରୁ ଜଣାପଡିଛି ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପୃକ୍ତି ନାହିଁ।
ମନ୍ତ୍ରୀ କହିଛନ୍ତି, ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ଗତ ଫେବୃଆରୀ ୧୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ମାମଲାଟି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ବିଚାରାଧିନ ଅଛି । ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଓ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ତଦନ୍ତ ବେଳେ ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୯ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍ ମିଳିଥିଲା । ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ହାଇକୋର୍ଟ । ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲା । ତେବେ ଗୋବିନ୍ଦର ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହରେ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଥିଲେ।
Back to top button